ଓଡିଶା ତାଜା ନ୍ୟୁଜ୍ (୧୯ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଚଳିତ ୨୦୨୦ ବର୍ଷରେ ବଣ୍ଟନ ପାଇଁ ‘ସବୁଜ ଓଡ଼ିଶା ମିଶନ’ ଯୋଜନାରେ ୧୫ କୋଟି ଚାରା ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା ଉତ୍ପାଦିତ ହୋଇଛି । ଗତବର୍ଷ ୫ କୋଟି ୫୦ ଲକ୍ଷ ଚାରା ବଣ୍ଟନ ପାଇଁ ଉତ୍ପାଦନ କରାଯାଇଥିଲା । କୋଭିଡ୍ ମହାମାରୀ ପରିସ୍ଥିତି ସତ୍ତ୍ୱେ ଏହି ବିପୁଳ ସଂଖ୍ୟକ ଚାରା ଉତ୍ପାଦନ କରାଯିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଏକ ସର୍ବକାଳୀନ ରେକର୍ଡ । ୫ କୋଟି ଚାରା ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚଳିତ ବର୍ଷା ଋତୁରେ ଏ ପର୍ଯ୍ୟନ୍ତ ୨ କୋଟି ଚାରା ବଣ୍ଟନ କରାଯାଇ ସାରିଛି । ୨୦୧୯ ବର୍ଷରେ ୬୮ ହଜାର ୩୫୮ ହେକଫର ପରିମିତ ଜମିରେ ଚାରା ରୋପଣ କରାଯାଇଥିଲା ।
୨୦୨୦ ବର୍ଷରେ ଏହାର ପ୍ରାୟ ଦୁଇଗୁଣ ୧ ଲକ୍ଷ ୩୦ ହଜାର ହେକ୍ଟର ପରିମିତ ଜମିରେ ଚାରା ରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି । ଜଙ୍ଗଲ ବିଭାଗ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁଁ ବନାଗ୍ନି ପ୍ରତିହତ କରାଯିବା ଓ ଏହାର ସୁପରିଚାଳନା ଅନେକାଂଶରେ ସଫଳ ହୋଇ ପାରିଛି । ସେମାନଙ୍କ ସମୟୋଚିତ ପଦକ୍ଷେପ ହେତୁ ୨୦୧୯ରେ ହୋଇଥିବା ୧୯ ହଜାର ୭୮୭ ବନାଗ୍ନି ଅଘଟଣକୁ ୨୦୨୦ରେ ୧୧ ହଜାର ୮୮କୁ କମାଯାଇ ପାରିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।