No Result
View All Result
୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରସ୍ଥିତ ମିଲିଟାରୀ ଷ୍ଟେସନଠାରେ ସୈନିକ ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ଦୀପାବଳି ପାଳିଛନ୍ତି ରାଜ୍ୟପାଳ ରଘୁବର ଦାସ । ମଙ୍ଗଳବାର ଦିନ ମିଲିଟାରୀ ଷ୍ଟେସନ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ସମସ୍ତଙ୍କ ପରିବାରର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ । ଦୀପାବଳି ଅବସରରେ ସେନା ଓ ତାଙ୍କ ପରିବାର ଗହଣକୁ ଆସି ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଥିଲେ ।
ଉପସ୍ଥିତ ସୈନିକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଲୋକମାନେ ପରିବାର ସହିତ ଦୀପାବଳି ମନାଉଥିବା ବେଳେ ଆପଣମାନଙ୍କ ମଧ୍ୟରୁ ଅନେକ ନିଜ ପରିବାର, ବନ୍ଧୁ ପରିଜନଠାରୁ ଦୂରରେ ରହି ରାଷ୍ଟ୍ରର ସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ଦୀପାବଳୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ । ଦେଶର ବାହାଦୂର ଯବାନମାନଙ୍କ ପାଇଁ ଆମ ଗୌରବଶାଳୀ ଦେଶ ସୁରକ୍ଷିତ ରହିଛି ।
ଯେକେହି ଆମ ଦେଶ ପ୍ରତି ଆଙ୍ଗୁଳି ଉଠାଇଲେ ଆମ ଯବାନମାନେ ତାର ଉଚିତ୍ ଜବାବ ଦେବେ ବୋଲି ରାଜ୍ୟପାଳ କହିଥିଲେ । ଷ୍ଟେସନ କମାଣ୍ଡର ତଥା ଛତିଶ୍ଗଡ଼ ଓ ଓଡ଼ିଶା ସବ୍-ଏରିଆର କମାଣ୍ଡର ବ୍ରିଗେଡିୟର ଅମନ ଆନନ୍ଦ ଭି.ଏସ୍.ଏମ୍. ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ସୈନିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ବାର୍ତାଳାପ କରିବା ସହ ଦୀପାବଳି ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର, ଗୋପାଳପୁର, ବାଲେଶ୍ୱରରେ ଅବସ୍ଥାପିତ ସଶସ୍ତ୍ର ବଳରେ ସେବାରତ ଅଧିକାରୀ/କର୍ମଚାରୀ ଓ ସେମାନଙ୍କର ପରିବାର, ଅବସରପ୍ରାପ୍ତ ସେନା ଅଧିକାରୀ, ଏନ୍.ସି.ସି. କ୍ୟାଡେଟ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
No Result
View All Result