୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ-୨୦୨୫ ତଥା ନୂତନ ଭୋଟରମାନଙ୍କୁ ସଚେତନ କରାଇବା ଉପଲକ୍ଷେ ଆଜି ଉପଖଣ୍ଡରେ ଏହି ଅବସରରେ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପଥ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବ ସକାଳ ୭.୩୦ମି. ସମୟରେ ବାଙ୍କୀ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଉପଖଣ୍ଡରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଛାତ୍ରଛାତ୍ରୀମାନେ ଏହି ସଚେତନା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ଳାଗ୍କାର୍ଡ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ନିର୍ବାଚନରେ ମତଦାନର ଗୁରୁତ୍ୱ ଓ ମହତ୍ୱ ସଂପର୍କରେ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ।
ଏହା ସହିତ ବାଙ୍କୀ କଲେଜ ଛକ, ନୃସିଂହ ଛକ, ଶନିମନ୍ଦିର ଛକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ଓ ନୃତ୍ୟର ଆୟୋଜନ କରାଯାଇ ଆଗାମୀ ନିର୍ବାଚନରେ ଭାଗନେବାକୁ ଥିବା ନୂତନ ଭୋଟରମାନଙ୍କ ମଧ୍ୟରେ ସଚେନତା ସୃଷ୍ଟି କରାଯାଇଥିଲା । ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମର ବିବରଣୀ ଦେବା ସହ ନିଜର ବାର୍ତ୍ତାରେ ଭୋଟରମାନଙ୍କୁ ମତଦାନ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡମପଡ଼ା ତହସିଲଦାର ସୂଚୀସ୍ମିତା ଦାସ, ବାଙ୍କୀ ତହସିଲଦାର ଅଶେଷ କୁମାର ନାୟକ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ , ଉପଖଣ୍ଡ ଭାରପ୍ରାପତ ସୂଚନା ଓ ଲୋକସଂପର୍କ ଅଧକାରୀ କାଳୀଚରଣ ତ୍ରିପାଠୀ ଓ ଉପଖଣ୍ଡର ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ କର୍ମଚାରୀଗଣ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟକିରାଣୀ ଶ୍ରୀମତୀ ଜୟନ୍ତୀ ରାଉତ ଓ ନାଜର ପଠାଣୀ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।