No Result
View All Result
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶା ମଞ୍ଚନାଟ୍ୟ ଆନ୍ଦୋଳନର ମହାରଥି,ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ, ବିଶିଷ୍ଟ ବେତାର ଶିଳ୍ପୀ ଲଷ୍ମୀଧର ତ୍ରିପାଠୀ ଙ୍କ ପରଲୋକ ଘଟିଛି | ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ଆଦର୍ଶ ଶିକ୍ଷକ,ଓଷ୍ଟାର ପୁରୀ ଜିଲ୍ଲା ପୂର୍ବତନ ସଭାପତି, ରାଜ୍ୟସ୍ତରୀୟ ଶିକ୍ଷକ ନେତା,ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମହାସଂଘର ପୂର୍ବତନ ସଭାପତି ଥିଲେ | କୃଷକ ବିଦ୍ୟାପୀଠ ଓ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାବେ ବ୍ରହ୍ମଗିରି ଅଂଚଳରେ ବେଶ ପରିଚିତ ଥିଲେ | ଅନନ୍ୟ ଓ ଅଗ୍ନିବର୍ଷୀ ପ୍ରଚଣ୍ଡ ବାଗ୍ମୀ, ସାଂସ୍କୃତିକ ଆନ୍ଦୋଳନର ପୁରୋଧା, ସାମାଜିକ ଆନ୍ଦୋଳନ, ଚିଲିକା ଆନ୍ଦୋଳନ ର ଅନ୍ୟତମ ମହାରଥି ଭାବେ ବେଶ ଦକ୍ଷତା ର ସହ କାର୍ଯ୍ୟ କରିଥିଲେ |
ଇଂରାଜୀ ଭାଷା ଓ ବ୍ୟାକରଣ ର ପ୍ରଚଣ୍ଡ ପଣ୍ଡିତ, ବିଶିଷ୍ଟ ସମାଜ ସଂସ୍କାରକ, ଅତ୍ୟନ୍ତ ସ୍ନେହୀ ସୁପୁରୁଷ, ଓଡିଶା,ପୁରୀ ଜିଲ୍ଲା ତଥା ବ୍ରହ୍ମଗିରି ଅଞ୍ଚଳର ଶତାଧିକ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ମାର୍ଗ ଦର୍ଶକ ଥିଲେ | ଅଲାରନାଥ ଅନବସର ଯାତ୍ରାର ପ୍ରତିଷ୍ଠାତା,ରଜ,ପଣା ଯାତ୍ରା, ପଞ୍ଚ ଦୋଳ,ଦଶଦୋଳ,ଫୁଲଦୋଳ, ଭାବକୁଣ୍ଡଳେଶ୍ୱର ବୁଡରେ ଯାହାଙ୍କର ମହାନ ଉପସ୍ଥିତି ଗରିମାମୟ କରିଥିଲା | ଆଦର୍ଶ ଓ ମୂଲ୍ୟବୋଧର ମଣିଷ, ସାଲିସ୍ ବିହୀନ ସମର୍ପିତ ସଂଗ୍ରାମୀ ଜନନାୟକ, ବ୍ରହ୍ମଗିରି ବାସୀଙ୍କ ହୃଦୟର ମୁକୁଟ ବିହୀନ ସମ୍ରାଟ ଥିଲେ | ଜନପ୍ରିୟ ଶିକ୍ଷକ ଓ ଅଭିନେତା, ବ୍ରହ୍ମଗିରିର ବରପୁତ୍ର ,ମଣିଷ ଗଢା କାରଖାନାର ଅନନ୍ୟ ବିନ୍ଧାଣୀ ଭାବେ ପରିଚିତ ଥିଲେ | ସ୍ୱଚ୍ଛତା, ନିରପେକ୍ଷତା,ସ୍ନେହ,ସ୍ୱାଭିମାନ,ସେବା , ସମର୍ପଣ ଓ ପବିତ୍ରତାର ପ୍ରତୀକ, ବୀର ଭୂମି, ଐତିହ୍ୟ ଓ ଐତିହାସିକ ମାଟି ବ୍ରହ୍ମଗିରିର କିମ୍ବଦନ୍ତୀ ପୁରୁଷ ଭାବେ ପରିଚିତ |
ଭୂମିପୁତ୍ର, ସର୍ବ ଜନପ୍ରିୟ,ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଧିତ ମହାନ ଗୁରୁ ଲକ୍ଷ୍ମୀଧର ତ୍ରିପାଠୀଙ୍କ ଆଜି ପବିତ୍ର କାର୍ତ୍ତିକ ମାସ ଦଶମୀ ତିଥିରେ ପାବନ ତୀର୍ଥ ଶ୍ରୀକ୍ଷେତ୍ରରେ ମହାପ୍ରୟାଣ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ବିୟୋଗରେ ଶିକ୍ଷା, ସଂସ୍କୃତି, ପ୍ରଜ୍ଞା ଓ ପ୍ରତିଭା କ୍ଷେତ୍ରରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା ସବୁଦିନ ନିମନ୍ତେ ଅପୂରଣୀୟ ହୋଇ ରହିବ । ଏହି ମହାନ ଯଶସ୍ୱୀ ଗୁରୁଙ୍କୁ କୁମାର କବି ଫାଉଣ୍ଡେସନ ତରଫରୁ ଉତ୍କଳ ଶିକ୍ଷା ସୌରଭ ସମ୍ମାନରେ ସମ୍ମାନୀତ କରି ଅନୁଷ୍ଠାନ ଆଜି ନିଜକୁ ଗୌରବ ମଣ୍ଡିତ ମନେ କରୁଛି। ଭୂମିପୁତ୍ର ଓ ପାଣ୍ଡବ ଗୌରବ ଆଦି ସମ୍ମାନରେ ସମ୍ମାନିତ ଏହି ମହାନ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତି ଜୀବଦ୍ଦଶାରେ ବିନା ପାରିଶ୍ରମିକରେ ଗ୍ରାମାଞ୍ଚଳରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇ ରେକର୍ଡ ସୃଷ୍ଟି କରିଥିଲେ ।
ବାସ୍ତବରେ ସେ ଥିଲେ ଜଣେ ଅନନ୍ୟ ଓ ମହାନ ଅନୁଷ୍ଠାନ।ଜୀବଦ୍ଦଶାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତାଙ୍କୁ ସମ୍ମାନିତ କରିବା ଉଚିତ ମନେ କଲା ନାହିଁ କି କୌଣସି ସରକାର ତାଙ୍କୁ ସମ୍ମାନିତ କରିବା ପାଇଁ ଚେଷ୍ଟା କଲେ ନାହିଁ । ଇଂରାଜୀ ବ୍ୟାକରଣ ଓ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟକୁ ନା ଓଡ଼ିଶାର ଗଣଶିକ୍ଷା ବିଭାଗ ନା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନା କୌଣସି ଶିକ୍ଷା ସାଧନ କେନ୍ଦ୍ର, ଉତ୍କର୍ଷ ଶିକ୍ଷା କେନ୍ଦ୍ର ଅବା ଶିକ୍ଷା ଗବେଷଣା ଅନୁଷ୍ଠାନ ସମୁଚିତ ବ୍ୟବହାର କରିପାରିଲେ ନାହିଁ । ଓଡ଼ିଶା ବାହାରେ ଜନ୍ମଗ୍ରହଣ କରିଥିଲେ ସେ ହୁଏତ ପଦ୍ମବିଭୂଷଣ ସମ୍ମାନ ପାଇ ପାରିଥାନ୍ତେ, ଏହାହିଁ ଏହି ଭାଷା,ସାହିତ୍ୟ ଓ ସଂସ୍କୃତି ସମୃଦ୍ଧ ଜାତି ପକ୍ଷରେ ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ଅଟେ ବୋଲି କବି ଅଧିବକ୍ତା ଦିଗମ୍ବର ବେହେରା ମତ ଦେଇଛନ୍ତି ।
ଶ୍ରୀଯୁକ୍ତ ତ୍ରିପାଠୀଙ୍କର ହଜାର ହଜାର ଛାତ୍ରଛାତ୍ରୀ ଆଜି ଦୁଖୀତ ମର୍ମାହତ ଓ ଶୋକାପ୍ଳୁତ। ସମଗ୍ର ବ୍ରହ୍ମଗିରି ଆଜି ସ୍ତବ୍ଧ ଓ ନିରଵ । ଏହି ଅମାୟିକ ,ସରଳ, ଭଦ୍ର,ନମ୍ର,ବିନୟୀ,ନିରହଙ୍କାରୀ ସ୍ନେହୀ ଆଦର୍ଶ ମଣିଷ ଓ ମହାନ ବ୍ୟକ୍ତିତ୍ଵଙ୍କ ବିୟୋଗରେ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଭୂମ ପ୍ରଣାମ ଜଣାଉଛି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରି କ୍ଷମା ଯାଚନା କଲେ ହୁଏତ ତାଙ୍କ ଅମର ଆତ୍ମା ପ୍ରତି ଏହା ସମୁଚିତ ସମ୍ମାନ ହେବ ବୋଲି ମତ ପ୍ରକାଶ ପାଇଛି ।
No Result
View All Result