୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବାତ୍ୟା ଦାନା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଜଣ ଙ୍କୁ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ । ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ନେଇଥିବା ଲୋକ ଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି ।

ଜିଲ୍ଲା ର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡ ର ଲୋକେ ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲ୍ଲା ଅରେଞ ରୁ ରେଡ ଯୋନକୁ ଥିବା ରୁ ଲୋକ ମାନେ ଆଶ୍ରୟ ସ୍ଥଳକୁ ଆସିବାକୁ ଲାଗିଛନ୍ତି । ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟ ର ତଦାରଖ କରୁଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି।ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନ କୁ ଗସ୍ତ କରି କାର୍ଯ୍ୟ ରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି ।

















