ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନାକୁ ପ୍ରତିହିତ କରିବା ଲାଗି ପ୍ରଶାସନ ପକ୍ଷରୁ ମାସ୍କ ପରିଧାନ ଓ ସାମାଜିକ ଦୁରତା ରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ହେଲେ ଜିଲ୍ଲାପାଳ କ୍ଷମତା ଲାଭ କରିଥିବା ସରଂପଚ ଏହାର ବ୍ୟତିକ୍ରମ କରୁଥିବାର ଦେଖିବାକୁ ମିଳିଛି । କୋଭିଡ଼ କଟକଣାକୁ ଅମାନ୍ୟ କରି ଗ୍ରାମ ପୋଖରୀରୁ ମାଛ ଧରିବା ସହ ବହୁ ଲୋକଙ୍କୁ ରୁଣ୍ଡ କରି ମାଛ ବିକ୍ରି କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ମଙ୍ଗଳବାର ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ ଦେଖିବାକୁ ମିଳିଛି । ମାଛ କିଣିବା ସକାଶେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଯୋଗୁଁ ପରୋକ୍ଷରେ ମହାମାରୀ କରୋନାକୁ ଆମନ୍ତ୍ରଣ କରାଯାଉଛି ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । କରୋନାକୁ ପ୍ରତିହିତ କରିବା ଲକ୍ଷ୍ୟରେ ସରକାର ଓ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯାଇଛି । ଗତ ମାର୍ଚ୍ଚ ୨୩ ତାରିଖ ଠାରୁ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯିବା ସହ ସଂକ୍ରମିତ ବହୁଳ ଅଂଚଳ ଗୁଡ଼ିକୁ ପ୍ରଶାସନ ପକ୍ଷରୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଛି । ଉଭୟ ସରକାର ଓ ପ୍ରଶାସନର ମିଳିତ ଉଦ୍ୟମ ଯୋଗୁଁ ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲା ରାଜ୍ୟର ୨ୟ ସର୍ବାଧିକ ସଂକ୍ରମିତ ଅଂଚଳ ଭାବେ ପରିଗଣିତ ହୋଇଛି ।
ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାକୂ ମାତ୍ ଦେବା ପାଇଁ ପ୍ରୟାସ ଜାରି ରହିଛି । ଜିଲ୍ଲା ପ୍ରଶାସନ ସମେତଚ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସ୍ୱାବ ନମୁନା ସଂଗ୍ରହ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଅଗଷ୍ଟ ପହିଲାରୁ ସରକାର ଅନଲକ-୩କୁ କାର୍ଯ୍ୟକାରୀ କରାଯିବା ସହ କଟକଣାକୁ କୋହଳ କରାଯାଇଛି । ହେଲେ ମଙ୍ଗଳବାର ସକାଳେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମରେ କୋଭିଡ଼ ନିୟମକୁ ୍ରମାନ୍ୟ କରି ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରଂପଚ ଗ୍ରାମର ବହୁ ଲୋକଙ୍କ ସହାୟତାରେ ପଂଚାୟତ ପୋଖରୀରୁ ମାଛ ଧରି ବିକ୍ରି କରିଥିଲେ । ମାଛ କିଣିବା ସକାଶେ ସ୍ଥାନୀୟ ଗ୍ରାମ ସମେତ ନିକଟବର୍ତି ଗ୍ରାମରୁ ବହୁ ଗ୍ରାହକଙ୍କ ଭିଡ଼ ଜମିଥିଲା । ବହୁ ଗ୍ରାହକ ମାସ୍କ ବ୍ୟବହାର କରିନଥିବାର ଦେଖିବାକୁ ମିଳିଥିଲା । ଏପରିକି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ନଥିବା ଏବଂ ସତେଯେପରି ସେମାନଙ୍କ ମନରେ ଆଦୈ କରୋନାର ଭୟ ନଥିଲା । ସାଧାରଣ ଜନତା କୋଭିଡ଼ କଟକଣାକୁ ଉଲଂଘନ କଲେ ଦଣ୍ଡ ବିଧାନ କରାଯାଉଥିବା ବେଳେ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରଂପଚ କୋଭିଡ଼ କଟକଣାକୁ ଅମାନ୍ୟ କଲେ ସରଂପଚଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ( ରିପୋର୍ଟ–ଶେଷଦେବ ସାହୁ)