No Result
View All Result
୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀମନ୍ଦିର ସେବାୟତ ପରିବାରର କୁଆଁରୀ ଛୋଟ ଝିଅ ମାନେ ଆଶ୍ବିନ ମାସ ଶୁକ୍ଳପକ୍ଷ ପଞ୍ଚମୀରେ ପବିତ୍ର ତୀର୍ଥ ପୁଷ୍କରିଣୀ ମାର୍କଣ୍ଡରେ ନେତ ପୂଜା କରିବା ପରମ୍ପରା ରହିଛି । କୁଆଁରୀ କନ୍ଯା ମାନେ ଭଲ ବର ପାଇବା ପାଇଁ ଏହି ବ୍ରତ ପାଳନ ବିଧି ରହିଛି । ପଞ୍ଚମୀ ରୁ ଅଷ୍ଟମୀ ପର୍ଯ୍ୟନ୍ତ ପୁଷ୍କରିଣୀ କୂଳରେ ଋଷି ମାନଙ୍କୁ ପୂଜା କରିଛନ୍ତି । ସଂଧ୍ଯାରେ ଜହ୍ନି ଫୁଲ ଓ ଫଳ ଆଦି ବଳି ପୂଜା କରିଥାନ୍ତି । ଜହ୍ନ ଦେଖିବା ପରେ ମହାପ୍ରସାଦ ସେବନ ବିଧି ରହିଛି । ଅଢେଇ ବର୍ଷ, ପାଞ୍ଚ ବର୍ଷ, ସାତ ବର୍ଷ ଓ ନଅ ବର୍ଷର କନ୍ଯା ମାନେ ଏହି ପୂଜା କରିବା ସହ ଗୀତ ବୋଲି ଆଞ୍ଜୁଳା ପ୍ରଦାନ କରିଥାନ୍ତି । ଗୁଆ,ସାତଟି କାଉଡିକୁ ଫରୁଆରେ ରଖି ଶିବଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ବେଶରେ ପାଟଲୁଗାକୁ କଛା ମାରି ପିନ୍ଧିଥାନ୍ତି ।
ପାରମ୍ପରିକ ଅଳଙ୍କାର ସୁନା ଓ ରୂପା ପିନ୍ଧିଥାନ୍ତି । ପାରମ୍ପରିକ ଅଳଙ୍କାର ମଧ୍ଯରେ ମୁଣ୍ଡରେ ଅଳକା, କେତକୀ ରେଖା ପାନପତ୍ର, ଜହ୍ନ ପରି ରାଗିଡି, ପୂର୍ଣ୍ଣଚନ୍ଦ୍ର, ବେଣୀରେ ସୁନା କାକରା, ରୃପା ର ଫୁଲି ପିନ୍ଧିଥାନ୍ତି । କାନରେ କନଫୁଲ ପେଣ୍ଡି, ମଲ୍ଳିକଢି, ବାଉଳି, ଫିରିଫିରା ଓ ଖାସିଆ ପିନ୍ଧିଥାନ୍ତି । ଅଣ୍ଟାରେ ଅଣ୍ଟା ମାଡ ପାଉଜି ବିଛା ଓ ଚନ୍ଦ୍ର ହାର ଏବଂ ଗୋଡରେ ଗୋଡ ମୁଦି, ଶିକୁଳି ଲଗା ପାଦପଦ୍ମ ପାଉଜି,ବେଙ୍ଗ ପାତିଆ ଘାଗୁଡି, ମଗର ମୁଣ୍ଡିଆ ଗୋଡ ଖଡୁ, ପାହୁଡ ଓ ଜାଲି ବାଙ୍କି ପିନ୍ଧିଥାନ୍ତି । ଏହି ପରମ୍ପରା କେବଳ ଶ୍ରୀକ୍ଷେତ୍ରରେ ସେବାୟତ ପରିବାରରେ ଦେଖିବାକୁ ମିଳିଥାଏ । ପଞ୍ଚମୀ ଠାରୁ ଆରମ୍ଭ ହୋଇ ଥିବା ସେବାୟତ ପରିବାରର କୁଆଁରୀ କନ୍ଯାମାନେ ପାରମ୍ପରିକ ବେଶରେ ମାର୍କଣ୍ଡେଶ୍ଵର ମନ୍ଦିର ମାର୍କଣ୍ଡ ପୁଷ୍କରଣୀ କୂଳରେ ନିଷ୍ଠା ଓ ଭକ୍ତି ଉତ୍ସାହର ସହ ଏହି ବ୍ରତ ପାଳିଥିବା ଦେଖିବାକୁ ମିଳିଥିଲା ।
No Result
View All Result