ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର : – ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟରେ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ବିଦ୍ୟାର୍ଥୀ ମନୋନୟନ କରାଯିବ। ଯୁକ୍ତ ଦୁଇ ନାମଲେଖା ଆବେଦନ ଭଳି ଅନ୍ଲାଇନ୍ରେ ଏହି ୨୫% ସିଟ୍ ପାଇଁ ବିଦ୍ୟାର୍ଥୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ଅନ୍ଲାଇନ୍ରେ ବିଦ୍ୟାର୍ଥୀ ମନୋନୟନ କରାଯିବ ଓ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ପୂର୍ବରୁ ଶିକ୍ଷାନୁଷ୍ଠାନ ନିଜ ସ୍ତରରେ ଛାତ୍ରଛାତ୍ରୀ ମନୋନୟନ କରିବା ଯୋଗୁଁ ଏଥିରେ ବ୍ୟାପକ ଦୁର୍ନୀତି ହେଉଥିବା ବିଦ୍ୟାର୍ଥୀ ଓ ଅଭିଭାବକ ଅଭିଯୋଗ କରିଥିଲେ । ଏଥିରେ ସ୍ବଚ୍ଛତା ଆଣିବା ସହ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ଦାବି କରିଆସୁଥିଲା । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଘରୋଇ ସ୍କୁଲରେ ସଂରକ୍ଷିତ ସିଟ୍ରେ ନାମଲେଖା ପାଇଁ ବିଭାଗ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ କରିବ । ଏଥିସହ ରାଜ୍ୟବ୍ୟାପୀ ଏକକ ଭାବେ ଆବେଦନ କରାଯିବ ।
ଆବେଦନ ପରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ସ୍ବତନ୍ତ୍ର ମେଧା ତାଲିକା ପ୍ରକାଶ କରାଯିବ । ଖୁବ୍ ଶୀଘ୍ର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ସଂରକ୍ଷିତ ସିଟ୍ରେ ନାମଲେଖାରେ ସ୍ବଚ୍ଛତା ଆଣିବା, ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ଏବଂ ଫି ରେଗୁଲେଟୋରି କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ସୋମବାର ଆମରଣ ଅନଶନ କରାଯାଇଥିଲା । ସନ୍ଧ୍ୟାରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଓସେପା ପ୍ରକଳ୍ପ ନିର୍ଦେଶକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।
ନାଗାର୍ଜୁନ ସେଠୀ, ଭୁମୋହନ ପଟ୍ଟନାୟକ ଓ ଶଙ୍କର ସାମନ୍ତରାୟଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ନିର୍ଦେଶକଙ୍କ ସହ ଆଲୋଚନା କରିବା ପରେ ଆମରଣ ଅନଶନ ପ୍ରତ୍ୟାହାର କରାଯାଇଛି । ଯୁଗ୍ମ ସଚିବ ଅନୁରାଧା ସେନାପତି, ଓଡିଶା କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ଉପଦେଷ୍ଟା ମନୋଜ ଜେନା, ଲଳିତ ପଟ୍ଟନାୟକ, ରମେଶ ମହାନ୍ତି ପ୍ରମୁଖ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଆମରଣ ଅନଶନରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ,ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ଦେବାଶିଷ ବସନ୍ତିଆ, ନନ୍ଦକିଶୋର ମଲ୍ଲିକ, ଆଶୁତୋଷ ନନ୍ଦ, ଶିଶିର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।