ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳକୁ ସମ୍ପୁର୍ଣ୍ଣ କରୋନା ମୁକ୍ତ କରିବା ଲକ୍ଷ୍ୟରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଫଳସ୍ୱରୁପ ପୌରାଂଚଳର ପ୍ରତ୍ୟେକ ପରିବାରର ସ୍ୱାବ ଟେଷ୍ଟ ବାଧ୍ୟତାମୂଳକ ଭାବେ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ କହିଛନ୍ତି । ‘କରୋନା ମୁକ୍ତ ପରିବାର’ ନାମରେ ରବିବାର ଠାରୁ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରବିବାର ପୌରାଂଚଳ ୱାର୍ଡ଼ ନଂ-୨ ଚନ୍ଦ୍ରଶେଖର ପ୍ରାଥମିକ ବିଦ୍ୟାଳୟରେ ସ୍ୱାବ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ମୋଟ ୧୧୫ଟି ପରିବାରରୁ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସେହିପରି ସେମାବାର ୱାର୍ଡ଼ନଂ-୧ ହିଞ୍ଜିଳି ରାଉଳ ସାହି କର୍ମ୍ୟୁନୀଟି ସେଂଟରରେ ସ୍ୱାବ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୭୯ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।
୧୬ ତାରିଖ ଠାରୁ ୩୦ ତାରିଖ ମଧ୍ୟରେ ସ୍ଥାନୀୟ ପୌରାଂଚଳର ସମସ୍ତ ୨୧ଟି ୱାର୍ଡ଼ର ପ୍ରତି ପରିବାରର ଜଣଙ୍କର ସ୍ୱାବ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ୱାର୍ଡ଼ ସକାଶେ ପୌର ପରିଷଦ ପକ୍ଷରୁ ଏକ କୋଭିଡ଼ ପରିଚାଳନା କମିଟି ଗଠନ କରାଯାଇଛି । ସ୍ୱାବ ଟେଷ୍ଟ ସକାଶେ ସ୍ୱାସ୍ଥ୍ୟ ଟିମ୍ ସହିତ ଶିକ୍ଷକ, ସଂପୃକ୍ତ ୱାର୍ଡ଼େର ଅଅଙ୍ଗନୱାଡ଼ି କର୍ମୀ, ପୌର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଯେଉଁ ଦିନ ଯେଉଁ ୱାର୍ଡ଼ରେ ସ୍ୱାବ ସଂଗ୍ରହ କରାଯିବ, ତାହାର ପୂର୍ବଦିନ ପ୍ରତି ପରିବାରର କେଉଁମାନେ ସ୍ୱାବ ପ୍ରଦାନ କରିବେ ସେମାନଙ୍କ ତାଲିକା ସହ ଆଧାର ନଂ, ମୋବାଇଳ ନଂ କୁ ଟିମ ସଂଗ୍ରହ କରୁଛନ୍ତି । କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ପୌର କର୍ମଚାରୀ କୌଳାଶ ସାବତ, ବିବେକାନନ୍ଦ ମହାପାତ୍ର ପ୍ରମୁଖ ତଦାରଖ କରୁଛନ୍ତି । ( ରିପୋର୍ଟ – ଶେଷଦେବ ସାହୁ )