ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଭୁବନେଶ୍ୱର :- ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନାକୁ ହରାଇ ଜିଲ୍ଲାର ବିକାଶ ସହିତ ସମୃଦ୍ଧ ଓ ସଶକ୍ତ ଓଡିଶା ନିର୍ମାଣ ପାଇଁ ଆହ୍ୱାନ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ ଭୁବନେଶ୍ୱର ତା-୧୫.୦୮.୨୦ ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ନବରଙ୍ଗପୁର ଷ୍ଟାଡିୟମ୍ଠାରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଅଭିଭାଷଣରେ କହିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ଯୋଗଦାନ ଆମ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଆମ ଦେଶ, ରାଜ୍ୟ ତଥା ନବରଙ୍ଗପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀ ମୁକ୍ତିଯୋଦ୍ଧାମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ତଥା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଏବେ କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱବାସୀ ପ୍ରଭାବିତ । ଏହି ଅଦୃଷ୍ଟ ତଥା ଅଭୂତପୂର୍ବ ଶକ୍ତି ବିରୁଦ୍ଧରେ ଆମ ସମସ୍ତଙ୍କର ସମ୍ମିଳିତ ଲଢେଇ ଜାରି ରହିଛି ।
ଏହାର ମୁକାବିଲା ପାଇଁ ନିୟମାବଳୀର କଠୋର ଅନୁପାଳନ ସହ ସଂଗରୋଧ କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ୍ ଡାକ୍ତରଖାନା, କୋଭିଡ୍ କେୟାର ହୋମ୍, କୋଭିଡ୍ କେୟାର ସେଣ୍ଟର, ପ୍ଲାଜମା ବ୍ୟାଙ୍କ ସମେତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ପ୍ରତିଷ୍ଠା ଏବଂ ସେସବୁର ପରିଚାଳନା ସହ ଏ ଦିଗରେ ଅଭିଜ୍ଞତାସମ୍ପନ୍ନ ମାନବସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଆଜି କୋଭିଡ୍ ମୁକାବିଲାରେ ଆମ ରାଜ୍ୟ ସରକାର ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । କରୋନା ମହାମାରୀରେ ଜାତୀୟ ସ୍ତରରେ ଆମର ଆରୋଗ୍ୟ ହାର ଅଧିକ ଏବଂ ମୃତ୍ୟୁ ହାର କମ୍ ରହିଛି । ରାଜ୍ୟ ସରକାରଙ୍କ ସମୁଚିତ ପଦକ୍ଷେପ, ପୋଲିସ୍, ଡାକ୍ତର,ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡୀ କର୍ମୀଙ୍କ ପରି କୋଭିଡ୍ ଯୋଦ୍ଧାମାନଙ୍କର ନିରନ୍ତର ସେବା ଓ ସର୍ବୋପରି ଆମି ଓଡିଶାବାସୀ ସମସ୍ତ ଭାଇଭଉଣୀଙ୍କର ଆନ୍ତରିକ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଛି । ଏହି ଲଢେଇରେ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପ୍ରଶଂସନୀୟ ଉଦ୍ୟମ ରହିଆସିଥିବା ବେଳେ ସମସ୍ତ ପ୍ରୟାସ ଜାରି ରଖି କରୋନାକୁ ହରାଇ ଜିଲ୍ଲାର ବିକାଶ ସହିତ ସମୃଦ୍ଧ ଓ ସଶକ୍ତ ଓଡିଶା ନିର୍ମାଣ ପାଇଁ ସେ ଜିଲ୍ଲାବାସୀଙ୍କୁ ଦୃଢ ସଂକଳ୍ପର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ନବରଙ୍ଗପୁର ଜିଲ୍ଲାର ୧୬ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ ଓ ପରେ ପରେ ଏକ ବୃକ୍ଷ-ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
କୋଭିଡ୍-୧୯ କଟକଣା ଅନୁପାଳନ କରି ସାମାଜିକ ଦୂରତା ଅବଲମ୍ବନ ଓ ମାସ୍କ ପରିଧାନ ପୂର୍ବକ ଏହି ଉତ୍ସବ ପାଳିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଶ୍ରା ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି, ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିମାଇଁ ଚରଣ ସୂତାର, ଶ୍ରୀ ଶୁଭାଶୀଷ ମାନସିଂ,ବନଖଣ୍ଡ ଅଧିକାରୀ ଶ୍ରୀ ମଗର ଧନାଜୀ ରାଓସେ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଶ୍ରୀ ରମାକାନ୍ତ ନାୟକ,ସିଡିଏମଓ ଡା. ଶୋଭାରାଣୀ ମିଶ୍ର, ଉପ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତୋଙ୍କ ସମେତ ସୀମିତ ସଂଖ୍ୟକ ଅତିଥି, ପଦାଧିକାରୀ, କରୋନା ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । ଏ.ପି.ଆର ପୋଲିସ, ପୋଲିସ୍ ବ୍ୟାଣ୍ଡ ଓ ବନ ବିଭାଗ ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଦିଆଯାଇଥିବେ ବେଳେ ଏହାକୁ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ବିକ୍ରମ ରଞ୍ଜନ ଦାସ ଓ ସର୍ଜେଣ୍ଟ ଶ୍ରା ସାନ୍ତନୁ କୁମାର ପ୍ରଧାନୀ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରା ଶ୍ରୀ ହଳଧର ନିଅଲ କାର୍ଯ୍ୟକ୍ରମକୁ ସମନ୍ୱିତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।