No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବୁଧବାର ବିଳମ୍ୱିତ ରାତିରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଟ୍ରକ୍ ପଛକୁ ଏକ ପରିବା ବୋଝେଇ ଟାଟାଏସି ଧକ୍କା ଦେଇଛି । ଦୂର୍ଘଟଣାରେ ଟାଟାଏସିରେ ଯାତ୍ରା କରୁଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ମୃତକ ମାନେ ହେଲେ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମର ସୁମନ ଗନ୍ତାୟତ (୧୬) ଓ ସରଧାପୁର ଗ୍ରାମର ଅଜିତ ବାଡତ୍ୟା (୨୪) ଏବଂ ଗୁରୁତର ଆହତ ଜଣଙ୍କ ହେଲେ ଟାଟାଏସି ଚାଳକ ଧରାକୋଟ ଥାନା ସରଧାପୁର ଗ୍ରାମର ସୂର୍ଯ୍ୟକାନ୍ତ ଗୈାଡ (୨୫) ।
ପ୍ରକାଶ ଯେ, ବୁଧବାର ରାତ୍ର ପ୍ରାୟ ସାଢେ ୧୨ ଘଣ୍ଟା ସମୟରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ (ଓଆର ୦୬ ଜେ ୬୩୪୩) ରାସ୍ତା ଉପରେ ପାର୍କିଂ କରିଥିଲା । ସେହି ସମୟରେ ମୁଣ୍ଡମରାଇ ଠାରୁ ପରିବା ବୋଝେଇ କରି ଏକ ଟାଟାଏସି (ଓଡି୦୨ବିଏନ ୮୪୨୯) ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନାବାଳକ ଶ୍ରମିକ ସୁମନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଅଜିତ ଓ ଚାଳକ ସୂର୍ଯ୍ୟ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ରାସ୍ତାରେ ଅଜିତଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର – ୭୭୮/୨୪ ରେ ଏକ ମାମଲା ରୁଜୁ କରିଛି । ମୃତ ୨ ଶ୍ରମିକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି ।
ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ସିମେଣ୍ଟ ବୋଝେଇ ଟ୍ରକ ଚାଳକଙ୍କୁ ଗିରଫ କରିଛି । ଗାଡି ଇଣ୍ଡିକେଟର ବ୍ୟବହାର ନକରି ରାସ୍ତା ଉପରେ ପାର୍କିଂ କରିବା ଅଭିଯୋଗରେ ଟ୍ରକ ଚାଳକ କବିସୂର୍ଯ୍ୟନଗର ଥାନା ଖାଜିପଲ୍ଲୀ ଗ୍ରାମର ରାଜେନ୍ଦ୍ର ଭୂୟାଁ (୨୫)ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
No Result
View All Result