
ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରସ୍ଥ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ୭୪ତମ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବାହ୍ନ ୯ଟା ବେଳେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ମାତ୍ର ୩ ପ୍ଲାଟୁନ୍ ପୋଲିସ୍, ଓଡ୍ରାଫ୍, ଓଏସ୍ଏପି ସପ୍ତମ ବାଟାଲିଅନ ଓ ଏଏସ୍ପି ବାଟାଲିଅନ ସହ ରାଜ୍ୟ ବ୍ରାସ୍ ବ୍ୟାଣ୍ଡ ସ୍ୱାଧୀନତା ଦିବସ ସମାରୋହରେ ସାମିଲ୍ ହୋଇଥିଲେ । ୩୧ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ମାତ୍ର ୧୦୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାର ଲାଲ୍ ନେହେରୁ, ନେତାଜୀ ସୁଭାଷ ବୋଷ , ସର୍ଦାର ପଟେଲ, ମୌଲାନା ଆଜାଦ, ଡ. ଆମ୍ବେଦକର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବୀରସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାଏକ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀଗଣ, ଦେଶର ଏକତା ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଓ କରୋନା ଲଢ଼େଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଉଦ୍ବୋଧନରେ କହିଲେ ଯେ, କରୋନା ଆଜି କେବଳ ଭାରତ ନୁହେଁ ସାରା ବିଶ୍ୱ ତଥା ମାନବ ଜାତି ପାଇଁ ଏକ ବହୁତ ବଡ଼ ସଂକଟ ଭାବେ ଦେଖା ଦେଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉ ପରେ ଏହା ଗଭୀର ପ୍ରଭାବ ପକେଇଛି । ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି । ଟୀକା ଆସିବା ପରେ କରୋନା ନିୟନ୍ତ୍ରିତ ହେବ କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାକୁ ଭରଣା କରିବା ପାଇଁ ସାହସର ସହ କାମ କରିବାକୁ ହେବ । କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ କରିଛନ୍ତି । ୫ଟି ପ୍ଲାଜ୍ମା ବ୍ୟାଙ୍କ ସହ ପ୍ଲାଜ୍ମା ଥେରାପି ସେବା ରୋଗୀଙ୍କୁ ମିଳୁଛି ।
ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ଏଥିପାଇଁ ଓଡ଼ିଶା ସରକାର କୋଭିଡ ରୋଗୀଙ୍କୁ ସବୁ ପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି । ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ । ଏହି ମିଶନ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାକୁ ଚେଷ୍ଟା କରୁଛନ୍ତି । ଲକଡାଉନ୍ ସମୟରେ ଜୀବିକା ଜାରି ର ଖିବା ପାଇଁ ଆମେ ପଦକ୍ଷେପ ନେଇଛନ୍ତି । କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କର୍ମ ନିୟୋଜନ କାମ ଜାରି ରହିଛି । ଗରିବ ଲୋକ ଓ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି । ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ଲଗାଣ ମଧ୍ୟ ଆସିଛି । ଦେଶରେ ଏହି ସମୟରେ ହୋଇଥିବା ପୁଞ୍ଜି ଲଗାଣରୁ ୧୮% ଓଡ଼ିଶାକୁ ହିଁ ଆସିଛି ।
ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ଲଗାଣରେ ଦେଶରେ ୧ ନମ୍ଵର ହୋଇଛି । ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦% ଥିବାବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୬୧% ରହିଛି । କରୋନା ବିରୋଧରେ ଆମର ଲଢ଼େଇରେ କୋଭିଡ ଯୋଦ୍ଧା ମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ । ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ଆରୋଗ୍ୟ ହାର ଭଲ ରହିଛି । ସାରା ଭାରତରେ ଓଡ଼ିଶାରେ ମୃତ୍ୟୁ ହାର କମ୍ ରହିଛି । କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ । ସେମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ସହିତ ଆମ ସମସ୍ତଙ୍କ ସହଯୋଗ ହିଁ ଓଡ଼ିଶା ପାଇଁ, ଭାରତ ପାଇଁ ତଥା, ମାନବ ଜାତି ପାଇଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିବ । ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି ଏବଂ ସାହସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । କରୋନା ଶୀଘ୍ର ଦୂର ହେବ ।
ସ୍କୁଲ ମାନଙ୍କରେ ପୁଣିଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ । କ୍ୱାମିନାରା ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୟୁନିଟ୍-୩ ପ୍ରଦର୍ଶନୀ ପଡିଆରୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସମାପ୍ତ ହୋଇଥିଲା । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଗୃହ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିୟାନ୍, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ତଥା କମିଶନର ଶ୍ରୀ ସଂଜୟ କୁମାର ସିଂ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।






















