ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ନବୀନ ନିବାସରୁ ରାଜ୍ୟର ଟିକନିକ୍ ଶାସନ କାର୍ଯ୍ୟ ପରିଚାଳନା କରୁଛନ୍ତି । ଅଫିସର ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରତିଦିନ ବିଭିନ୍ନ ସମୀକ୍ଷା ବୈଠକ କରୁଛନ୍ତି । କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତାଙ୍କ ସଚିବ ପାଣ୍ଡିଆନ୍ ଙ୍କ ଛଡ଼ା ଅନ୍ୟମାନଙ୍କ ସହ ସିଧାସଳଖ ସଂସ୍ପର୍ଶକୁ ବାରଣ କରିଛନ୍ତି । ଦୀର୍ଘ ୫ ମାସ ଧରି ବାହାରକୁ ଯାଇ ନ ଥିବାରୁ ଗାଡ଼ି ଡ୍ରାଇଭର୍ ଙ୍କ ଆବଶ୍ୟକତା ପଡ଼ିନି କି ପଡ଼ିଲେ ବି ଡ୍ରାଇଭରଙ୍କୁ ଭରସା କରିନାହାନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଡ୍ରାଇଭର୍ ସିଟ୍ ରେ ତାଙ୍କର ଅତି ବିଶ୍ୱସ୍ତ ଅଫିସର ତଥା (୫-ଟି) ସଚିବ ଭି.କେ.ପାଣ୍ଡିଆନ୍ ଙ୍କୁ ଦେଖିବାକୁ ମିଳିଥିଲା । ଚିରାଚରିତ ଭାବେ କାର୍ ର ସାମନା ସିଟ୍ ରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଗାଡି ଚଳାଉଥିଲେ ପାଣ୍ଡିଆନ୍ । କାରକେଡ୍ ଭିତରେ ନବୀନ ନିବାସରୁ ୟୁନିଟ୍-୩ ସ୍ୱାଧୀନତା ଦିବସ ପ୍ୟାରେଡସ୍ଥଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ନିଜେ ଡ୍ରାଇଭ୍ କରି ଗାଡିରେ ନେବା ଆଣିବା ଦୃଶ୍ୟ ଦେଖଣାହାରୀଙ୍କୁ ଆମୋଦିତ କରିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଡ୍ରାଇଭର୍ ନ ଚଳାଇ ପାଣ୍ଡିଆନ୍ ଚଳାଇବା ପଛର କାରଣ କରୋନା । ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନୁ ମୁଖ୍ୟମନ୍ତ୍ରୀ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରୁଛନ୍ତି । ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ କେମିତି ଯିବେ ତାହା ଚିନ୍ତାର ବିଷୟ ହୋଇଥିଲା ବେଳେ ପାଣ୍ଡିଆନ୍ ନିଜେ ଡ୍ରାଇଭିଂ କରିବାକୁ ଆଗ୍ରହୀ ହୋଇଥିଲେ ବୋଲି ଜଣାପଡ଼ିଛି । ପାଣ୍ଡିଆନ୍ ଙ୍କ ଭଳି ଜଣେ ଶୀର୍ଷସ୍ତରର ଅଫିସର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚଳାଇବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପାଣ୍ଡିଆନ୍ ଖାଲି ଗାଡ଼ି ଚଳାଇନାହାନ୍ତି, ଡ୍ରାଇଭର୍ ଙ୍କ ଭୂମିକାରେ ନିଜକୁ ରଖି ସେହି ସୌଜନ୍ୟତା ବି ଦେଖାଇଛନ୍ତି । ବିନା ସଙ୍କୋଚରେ ପାଣ୍ଡିଆନ୍ ଙ୍କର ଏଭଳି ମହାନ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।