No Result
View All Result
ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ
ବିଶିଷ୍ଟ ବ୍ୟକ୍ତି ବିଶେଷ ଚିଠି ଲେଖିବେ ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କୁ
ଦେଶ ବିଦେଶରେ ଥିବା ରେଭେନ୍ସିୟ ମାନଙ୍କୁ ଏକାଠି କରାଯିବ
ସାଧାରଣ ଜନତାଙ୍କ ପାଖକୁ ଯିବ ଫୋରମ୍
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଏ ମଧ୍ୟରେ ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ନେଇ ବହୁ ବିତର୍କ ହୋଇଗଲାଣି । ବିଭିନ୍ନ ଲୋକେ ନିଜର ମତକୁ ଜାହିର୍ କରିବା ପାଇଁ ଇତିହାସକୁ ନିଜ ନିଜ ଢ଼ଙ୍ଗରେ ପ୍ରକାଶ କରିବାରେ ଲାଗିଛନ୍ତି । ଆମେ ରେଭେନ୍ସାର ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନ’ ଅଙ୍କ ଦୁର୍ଭିକ୍ଷ କିମ୍ବା ଅନ୍ୟକିଛି ଘଟଣା ଭିତ୍ତିରେ ଆମ ଶିକ୍ଷା ମାତୃକାର ନାମ ପରିବର୍ତ୍ତନକୁ ବିରୋଧ କରୁଛୁ । ନ ଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଯେଉଁ ତଦନ୍ତ କମିଶନ ବସିଥିଲା ତାହା ଦୁର୍ଭିକ୍ଷ , ମହାମାରୀ ଓ ଜୀବନ ହାନି ପାଇଁ ରେଭେନ୍ସା ସାହେବ କେବଳ ଦାୟୀ ବୋଲି ଦୋଷାରୋପ କରିନଥିଲା | ରେଭେନ୍ସା ସାହେବ ଓଡ଼ିଶାରୁ ବିଦାୟ ନେଲା ପରେ ଯେଉଁମାନେ ତାଙ୍କ ନାମରେ କଟକ ମହାବିଦ୍ୟାଳୟକୁ ନାମିତ କରିବାକୁ ଚାହିଁଥିଲେ ସେମାନଙ୍କର ଦୁର୍ଭିକ୍ଷ ଓ ରେଭେନ୍ସାଙ୍କର କାର୍ଯ୍ୟ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ଥିଲା। ସେତେବେଳର ନେତୃମଣ୍ଡଳୀ ଏହାକୁ ବିରୋଧ କରିନଥିଲେ ।ସେତେବେଳେ କେହି ବିତର୍କର ଆହ୍ବାନ ଦେଇନଥିଲେ । ରେଭେନ୍ସାଙ୍କୁ ନରହନ୍ତା କୁହାଯାଉନଥିଲା ।
ସ୍ୱାଧିନତା ସମୟରେ ମଧ୍ୟ ନାମ ପରିବର୍ତ୍ତନ କଥା ଉଠୁଥିଲା କିନ୍ତୁ ସେତେବେଳକାର ସରକାର ତାହା କରିନଥିଲେ ।୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ଦଳ କ୍ଷମତାରେ ଥିଲା ଏବଂ ଉଚ୍ଚଶିକ୍ଷା ବିଭାଗ ତାଙ୍କ ଦଳର ମନ୍ତ୍ରୀଙ୍କ ଅଧିନରେ ଥିଲା । ୨୦୦୫ ମସିହାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇନ୍ ବିଧାନ ସଭାରେ ପାରିତ ହୋଇ ୨୦୦୬ ନଭେମ୍ବର ମାସରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ସ୍ଥାପନ ହେଲା । ସେତେବେଳେ ମଧ୍ୟ ନାମ ପରିବର୍ତ୍ତନର ସ୍ଵର ଶୁଭି ନ ଥିଲା । ହଠାତ୍ କ’ଣ ହେଲା, ଯେଉଁଥିପାଇଁ କି କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗ ଉପସ୍ଥାପନ କଲେ ଯାହା ଅସଂଖ୍ୟ ରେଭେନ୍ସା ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । ଆଜି ପ୍ରାୟ ଦେଢଶହ ବର୍ଷ ପରେ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆସି ବିଦାଦ ସୃଷ୍ଟି ହୋଇଛି । ଯାହାକୁ ଯାହା ସୁହାଉଛି ସେ ତାହା କହୁଛି । ଏହି ବାଦ ବିସମ୍ବାଦ ମଧ୍ୟରେ ଓଡ଼ିଆ ଜାତିର କର୍ଣ୍ଣଧାର କିଛି ମହାନ ବ୍ୟକ୍ତିଙ୍କର କୁତ୍ସାରଟନା ହେଉଛି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଆଜି ଯେ କୌଣସି କାରଣରୁ ଯଦି ନାମ ପରିବର୍ତ୍ତନ ହୁଏ ତେବେ ତାହା ଲକ୍ଷ ଲକ୍ଷ ରେଭେନ୍ସୀୟଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ହେବ ।
ଆଜି ମହାବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟଟିର ଏକ ନିଜସ୍ଵ ପରିଚୟ ସୃଷ୍ଟି ହୋଇଛି । ରେଭେନ୍ସା ଆଜି କୌଣସି ବ୍ୟକ୍ତିବିଶେଷଙ୍କ ନାମ ହୋଇ ରହି ନାହିଁ କିମ୍ବା ଏହାର କୌଣସି ଉପନିବେଶକ ପରମ୍ପରା ଦୃଷ୍ଟି ଗୋଚର ହେଉନି । ଏହା ଓଡ଼ିଆଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶା ବାହାରେ ଓଡିଆଙ୍କ ପରିଚୟ ସୃଷ୍ଟି କରିଛି । ଏହାକୁ ଛାଡ଼ି ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନ ଓ ଆଧୁନିକ ଇତିହାସ ଲେଖାଯାଇ ପାରିବ ନାହିଁ । ଓଡିଶାରେ ଜନ୍ମ ନେଇଥିବା ସମସ୍ତ ପ୍ରମୁଖ ରାଜନେତା, ଦେଶ ସେବକ, ବୈଜ୍ଞାନିକ, ପ୍ରଶାସକ ଓ ବୁଦ୍ଧିଜୀବିମାନଙ୍କର ଏହି ଅନୁଷ୍ଠାନ ସହିତ ଯେଉଁ ନିବିଡ ସମ୍ପର୍କ ରହିଆସିଛି ତାହା କେବଳ ଏହି ନାମ ସହିତ ଜଡିତ । କୌଣସି ବ୍ୟକ୍ତିବିଶେଷଙ୍କ ସଙ୍ଗେ ଏମାନଙ୍କର ସମ୍ପର୍କ ନାହିଁ I ରେଭେନ୍ସା ମହାବିଦ୍ୟାଳୟର ଏହି ଦୀର୍ଘକାଳ ସ୍ଥିତି ମଧ୍ୟରେ ରେଭେନ୍ସାଙ୍କର ଗୋଟିଏ ଫଟୋ ବ୍ୟତୀତ ଆଉ କୌଣସି ସ୍ମୃତିି ନାହିଁ । ତାଙ୍କ ସ୍ମୃତି ଚାରଣ ପାଇଁ କୌଣସି ଦିନ ସଭା ସମିତି ହୁଏ ନାହିଁ। ତାଙ୍କ ଗୁଣକୀର୍ତନ ହୁଏ ନାହିଁ l ‘ରେଭେନ୍ସା’ ଆଜି ଏକ ଶହେ ଛପନ ବର୍ଷ ଅନୁଷ୍ଠାନର ନାମ ଯାହା ଲକ୍ଷ ଲକ୍ଷ ଓଡ଼ିଆଙ୍କ ମାନସରେ ଅହରହ ଗୁଂଜରିତ ଏକ ସଶ୍ରଦ୍ଧ ମଧୁର ଶବ୍ଦ ।
ଆଜି ସେହି ନାମକୁ ଜଣେ ବ୍ୟକ୍ତିଙ୍କର ନାମ ବୋଲି କହି , ଇତିହାସକୁ ନିଜ ଢଙ୍ଗରେ ବର୍ଣ୍ଣନା କରି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ନାମ ପରିବର୍ତ୍ତନ ଉଦ୍ୟମ ଯଦି ସଫଳ ହୁଏ ତେବେ ଓଡ଼ିଶାର ଶିକ୍ଷା , ସଂସ୍କୃତି, ରାଜନୀତି, ସ୍ୱାଧୀନତା ସଂଗ୍ରାମ ଖେଳକୁଦ, କଳା ଓ ସଙ୍ଗୀତ ପ୍ରଭୃତି ବିକାଶର ମୂକସାକ୍ଷୀ ରେଭେନ୍ସା କାଳର କରାଳ ଗର୍ଭରେ ଲୀନ ହୋଇଯିବ । ଗୋଟେ ଜାତିର ଗୌରବମୟ ଇତିହାସକୁ ପୁନଶ୍ଚ ଲେଖିବାକୁ ପଡିବ। କିନ୍ତୁ ରେଭେନ୍ସା ଶବ୍ଦକୁ ଛାଡ଼ି ତାହା ଲେଖିବା ସମ୍ଭବ ହେବ କି? ଏଠାରୁ ଉତୀର୍ଣ୍ଣ ହୋଇ ବିଦେଶରେ ପଢୁଥିବା ପିଲାମାନଙ୍କୁ ନିଜର ପ୍ରମାଣ ପତ୍ରକୁ ନେଇ ସମସ୍ୟାରେ ପଡିବେ । ବହୁ ନଥିପତ୍ର ତିଆରି କରିବାକୁ ପଡିବ | ନାମ ପରିବର୍ତ୍ତନ କରିଦେଲେ ନ’ ଅଙ୍କ ଦୁର୍ଭିକ୍ଷରେ ପ୍ରାଣ ହରାଇଥିବା ଲୋକେ ଫେରିଆସିବେନି କିମ୍ବା ରେଭେନ୍ସା ସାହେବ ନର୍କରେ ପଡିବେନି l ଓଡିଶା ଇତିହାସର ସେ ଏକ କଳଙ୍କମୟ ଅଧ୍ୟାୟ ଥିଲା । ସ୍ୱାଧୀନ ଭାରତରେ ଦୁର୍ଭିକ୍ଷ ଉପରେ ବହୁ ଗବେଷଣା ହୋଇଛି ।
ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅମାର୍ତ୍ତ୍ୟ ସେନଙ୍କ ମତରେ ଯଥେଷ୍ଟ ଖାଦ୍ୟ ଥାଇ ମଧ୍ୟ ଦୁର୍ଭିକ୍ଷ ହୋଇପାରେ । ଉନବିଂଶ ଶତାବ୍ଦୀର ଆର୍ଥିକ ଚିନ୍ତାଧାରା ବଜାର ଅର୍ଥନୀତିକୁ ସମର୍ଥନ କରୁଥିଲା । ଚାହିଦା ଥିଲେ ମନକୁ ମନ ଯୋଗାଣ ବଢିବ ବୋଲି ବିଶ୍ୱାସ କରାଯାଉଥିଲା । ଆର୍ଥିକ କାର୍ଯ୍ୟକଳାପରେ ସରକାର ସାଧାରଣ ଭାବେ ହସ୍ତକ୍ଷେପ କରୁନଥିଲେ । ତେଣୁ ଏହି ଆର୍ଥିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ତତ୍କାଳୀନ ପ୍ରଶାସନ ଦୁର୍ଭିକ୍ଷର ସମ୍ଭାବନାକୁ ଅଣଦେଖା କରିବା ଫଳରେ ଖାଦ୍ୟାଭାବ ଦେଖା ଦେଇଥିଲା । ଏଥିପାଇଁ ସମଗ୍ର ପ୍ରଶାସନ ଦାୟୀ ହୋଇଥିବା ବେଳେ ଜଣଙ୍କ ମୁଣ୍ଡରେ ଦୋଷ ଲଦି ଗୋଟିଏ ଗରିମାମୟ ଅନୁଷ୍ଠାନର ପରିଚୟ ନଷ୍ଟ କରିବା ଆଦୌ ବାଞ୍ଚନୀୟ ନୁହେଁ । ଏହି ପରିପ୍ରେକ୍ଷୀରେ ଆମର କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ ସେ ଓଡିଶାର ଗରିମା ଓ ଗୌରବର ସ୍ମାରକୀ ରେଭେନ୍ସାର ନାମ ପରିବର୍ତ୍ତନ ସମ୍ପର୍କୀତ ବିତର୍କର ଅବସାନ ଘଟାନ୍ତୁ ଏବଂ ଅସଂଖ୍ୟ ରେଭେନ୍ସା ପ୍ରେମୀଙ୍କ ମନରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୁଅନ୍ତୁ । 
ଆଜି ରେଭେନ୍ସା ହେରିଟେଜ୍ ଫୋରମ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରେଭେନ୍ସା ନାମ ପରିବର୍ତ୍ତନକୁ ବିରୋଧ କରି ଆନେ୍ଦାଳନକୁ ବ୍ୟାପକ କରାଯିବାର ନିଷ୍ପତି ହୋଇଛି । ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି ନାମ ପରିବର୍ତ୍ତନ ବିରୋଧରେ ରଷ୍ଟ୍ରପତି , ପ୍ରଧନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାର ନିଷ୍ପତି ହୋଇଛି । ଆନେ୍ଦାଳନକୁ କେବଳ ରେଭେନସୀୟଙ୍କ ଭିତରେ ସୀମାବଦ୍ଧ ନକରି ଓଡିଶାବାସୀଙ୍କ ପାଖକୁ ନିଆଯିବ । କଟକରେ ଏଥିପାଇଁ ଏକ ଗଣ କନଭେନ୍ସନ୍ ଆୟୋଜିତ ହେବ । ଦିଲ୍ଲୀ ଏବଂ ଦେଶ ବାହରେ ଥିବା ପ୍ରାବସୀ ରେଭେନସିୟ ମାନଙ୍କୁ ଏହି ଆନେ୍ଦାଳନରେ ସାମିଲ କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପୁଲିସ ମହାନିଦେ୍ର୍ଦଶକ ଅମୀୟ ଭୂଷଣ ତ୍ରୀପାଠୀ, ପଦ୍ମଶ୍ରୀ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ଅରବିନ୍ଦ ବେହେରା, କୁଳମଣି ଦେଓ, ସୈାମ୍ୟରଂଜନ ପଟ୍ଟନାୟକ, ସତ୍ୟକାମ ମିଶ୍ର, ବଦ୍ରି ନାରାୟଣ ମହାନ୍ତି, ଅର୍ଚ୍ଚନା ନୟାକ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସୁଦର୍ଶନ ଦାସ ଏହାକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମନୋଜ ସାହୁ, ଲେଲିନ୍ ମହାନ୍ତି, ସୁଧୀର ରାଉତ, ସଂଜୀବ ପାତ୍ରୀ, ଗଣେଷ ତ୍ରୀପାଠୀ, ସନ୍ତୋଷ ଜେନା, ସଂଘମିତ୍ରା ଜେନା, ଉଦିତ୍ ପ୍ରଧାନ, ବିଶ୍ୱରାଜ ନାୟକ, ଅଜୟ ମିଶ୍ର, ସମ୍ବିତ ମହାନ୍ତି, ଅବିନାଶ ମହାନ୍ତି, ମାନସ ଜେନା, ଶିଶିର ପରିଡା, ସଦାଶିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result