No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> T.E.Ravenshaw ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି । ତେବେ ନାମ ପରିବର୍ତ୍ତନ ହେଉ କି ନ ହେଉ, ଓଡ଼ିଶାବାସୀ ରେଭେନ୍ସାଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ନିହାତି ରହିଛି ।
୧୮୬୫ ମସିହାରେ ଏଡଵାର୍ଡ ରେଭେନ୍ସା ଓଡ଼ିଶାର କମିଶନର ଭାବେ ଯୋଗ ଦିଅନ୍ତି । ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଐତିହାସିକ ସନ୍ଧିକ୍ଷଣ । ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥାଏ ଓଡ଼ିଶା । କିନ୍ତୁ କମିଶନରଙ୍କ ପାଖରେ ଖବର ପହଞ୍ଚେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ପେଖନା କରୁଛନ୍ତି । କିଛି ମୁଷ୍ଟିମେୟ ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭାସି ଯାଆନ୍ତି । ଆଉ ଅବିଚାରିତ ଭାବେ ଓଡ଼ିଶାର କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । ଯାହା ଲାଗି ଓଡ଼ିଶାବାସୀଙ୍କ ଆଖିରେ ରେଭେନ୍ସା ସାହେବ ଛୋଟ ହୋଇଯାଆନ୍ତି ।
ଅବଶ୍ୟ ଏ ସ୍ଥିତି ଦୀର୍ଘ ସମୟ ବଳବତ୍ତର ରୁହେନି । ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ବୁଝିପାରନ୍ତି, ସେ ଭୁଲ କରିଛନ୍ତି ବୋଲି । ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି ସାହେବ l ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଆ ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି । ୧୮୬୭ ମସିହା ଡିସେମ୍ବର ମାସରେ ସରକାରଙ୍କ ତରଫରୁ ନଅଙ୍କ ଦୁର୍ଭିକ୍ଷର ପରିସମାପ୍ତି ଘୋଷଣା କରାଯାଇଥିଲା । ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ଦାରୁଣ ଦୁର୍ଭିକ୍ଷର କଥା ଉଠି ରେଭେନ୍ସା ନିନ୍ଦିତ ବି ହୁଅନ୍ତି । ଓଡ଼ଶାର ବିକାଶ ପାଇଁ ଓଡ଼ିଆ ପୋଥୀର ସଂରକ୍ଷଣ, ଓଡ଼ିଆ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ କାମ କରନ୍ତି । କିଛି ଗବେଷଣା ନିବନ୍ଧ ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ୍ ହୋଇ ସେ ‘କଟକ ପ୍ରିଟିଙ୍ଗ୍ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ ।
୧୮୬୮ ମସିହାରେ କଟକ ଜିଲ୍ଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ । ପରବର୍ତ୍ତୀ ସମୟରେ ଏହା ‘ ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ । ୧୮୭୯ ସାଲରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି । ମୟୁରଭଞ୍ଜ ମହାରାଜା, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, କୁଜଙ୍ଗ ରାଜା, କାଶିମ୍ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ ସାହାଯ୍ୟ କରିଥିଲେ କଲେଜ ପାଇଁ। ଫଳରେ ଗଢିଉଠିଥିଲା କଟକରେ ଏହି ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା । ଏହି ତଥ୍ୟ ଶ୍ରୀ ନୃସିଂହ ଚରଣ ସାହୁଙ୍କ ସଙ୍କଳିତ ଆମ ଓଡ଼ିଶା ପୁସ୍ତକରେ ବିସ୍ତୃତ ଭାବେ ସ୍ଥାନୀତ ହୋଇଛି ।
No Result
View All Result