ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ହିଞ୍ଜିଳିକାଟୁ :– ଆସନ୍ତାକାଲି ଅର୍ଥାତ ଶନିବାର ସାରା ଭାରତ ବର୍ଷରେ ପାଳିତ ହେବ ୭୪ତମ ପବିତ୍ର ସ୍ୱାଧୀନତା ଦିବସ । ଚାରିଆଡ଼େ ଉଡ଼ିଥାନ୍ତା ତ୍ରିରଙ୍ଗା ଓ ଜାତୀୟ ସଙ୍ଗୀତ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠନ୍ତା ସାରା ସହର । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସମସ୍ତଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତୋଳନ ହୋଇଥାନ୍ତା । ଶିକ୍ଷାର୍ଥୀଙ୍କ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥାନ୍ତେ । ଆବାଳ ବୃଦ୍ଧ ବନିତା ସମସ୍ତେ ବୁଲି ବୁଲି ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସକୁ ଉତ୍ସାହର ସହିତ ପାଳନ କରିଥାନ୍ତେ । କିନ୍ତୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଚଳିତ ବର୍ଷ ୭୪ତମ ସ୍ୱାଧୀନତା ଦିବସ ପାଳନ ସକାଶେ ବାଧକ ସାଜିଛି । ସ୍ୱାଧୀନତା ଦିବସ ପାଳନ ସକାଶେ ସରକାରଙ୍କ ପକ୍ଷରୁ ବହୁ ନିୟମାବଳୀ ଘୋଷଣା କରାଯାଇଛି ।
କେଉୂଁ ସ୍ଥାନରେ କେତେ ବ୍ୟକ୍ତିଙ୍କୁ ନେଇ କିପରି ପାଳନ କରାଯିବ ସେଥିପାଇଁ ସ୍ୱତନ୍ତ୍ର ନିୟମ କରାଯାଇଛି । ଏଥିସହ ପ୍ୟାରେଡ଼ ଉପରେ କଟକଣା ଲାଗିଥିବା ବେଳେ ଜନସାଧାରଣଙ୍କୁ ମଧ୍ୟ ବାରଣ କରାଯାଇଛି । ଚଳିତ ବର୍ଷ ଏଭଳି କୋଭିଡ଼ କଟକଣାରେ ପାଳନ ହେବ ପବିତ୍ର ୭୪ତମ ସ୍ୱାଧୀନତା ଦିବସ । ପ୍ରତିବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ କିଛି ସିଜନ ବ୍ୟବସାୟୀ ଭଲ ବେପାର କରି ଆସୁଥିଲେ । ଜାତୀୟ ପତାକା ଠାରୁ ଆରମ୍ଭ କରି ଷ୍ଟିକର, ବ୍ୟାଜ୍, ରିବନ, ବେଣ୍ଡ୍, ଡ଼୍ରେସ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରି ବେଶ ୨ ପଇସା ରୋଜଗାର କରୁଥିଲେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫସି ରହିଛନ୍ତି । ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିବାକୁ ବାରଣ କରାଯାଇଥିବାରୁ ଛୋଟ ଛୋଟ ଆକୃତିର ପତାକା ଗୁଡ଼ିକ ବିକ୍ରି ହୋଇପାରୁନି ।
ସେହିପରି ଯାନାବହାନ ଚଳାଚଳରେ କଟକଣା ରହିଥିବାରୁ ପତାକା ଗୁଡ଼ିକ ବିକ୍ରି ହୋଇପାରୁନି । ବିଭିନ୍ନ ସଙ୍ଗଠାନ ପକ୍ଷରୁ ମିଳିତ ହୋଇ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟରେ ଏକାଠି ନହୋବା ଲାଗି କଟକଣା ଜାରି କରାଯାଇଛି । ଫଳରେ ଚଳିତ ବର୍ଷ ପତାକା ବିକ୍ରି ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ବିଭିନ୍ନ ସିଜନ୍ ବ୍ୟବସାୟୀ ସ୍ୱାଧୀନତା ଦିବସ ସକାଶେ ଆଣିଥିବା ବିଭିନ୍ନ ସାମଗ୍ରୀ ବିକ୍ରି ହୋଇପାରିନାହିଁ । ଏ ସମସ୍ତ ସାମଗ୍ରୀର ବିକ୍ରି କରିବା ଲାଗି ପୁଣି ୨୦୨୧ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବହୁ ସିଜନ ବ୍ୟବସାୟୀ କହିଛନ୍ତି । ( ରିପୋର୍ଟ – ଶେଷଦେବ ସାହୁ )