୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ଚିକିତ୍ସା ଅଭାବରୁ ହଷ୍ଟେଲରେ ଛାତ୍ରୀ ମୃତ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀ ନିବାସରେ ପଢ଼ୁଥିବା ଜୈନେକା ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ରାସ୍ତା ଉପରେ ଶବ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ସୂଚନାନୁସାରେ, ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥରା ଗ୍ରାମ ପଞ୍ଚାୟତ ଅଧୀନ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ଝିଅ ୧୧ ବର୍ଷୀୟ ମଧୁସ୍ମିତା ଷଷ୍ଠ ଶ୍ରେଣୀ କସ୍ତୁରବା ମଧ୍ୟ ଇଂରାଜୀ ବିଦ୍ୟାଳୟରେରେ ପାଠ ପଢ଼ୁଥିଲେ ।

ଗତ ଶନିବାର ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ସେ କସ୍ତୁରବା ବାଳିକା ଛାତ୍ରୀ ନିବାସରେ ରହୁଥିବା ବେଳେ ଦେହ ଅସୁସ୍ଥତା ସତ୍ତ୍ୱେ ବି ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ଅବହେଳା କରିଥିବା ଅଭିଯୋଗ ହୋଇଛି । ପରେ ପରିବାର ଲୋକଙ୍କୁ ଖବର ଦେଇ ଛାତ୍ରା ଜଣଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଷଷ୍ଠ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।
















