No Result
View All Result
୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗାଇ ମାତୁ ମାତୁ ଗୋଠ ମାତିଲା ପରି ଏବେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ କ୍ଯାମେରା ସାଲୁବାଲୁ ହୋଇଥିବା ଅଭିଯୋଗ ହୋଇଛି । ଏହା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ବୈଠକ କରାଯିବ । ବିଶେଷକରି ସକାଳ ମଙ୍ଗଳଆଳତି ଓ ଅପରାହ୍ନରେ ନୀଳଚକ୍ର ଧ୍ଵଜା ବନ୍ଧା ସମୟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ସେବକ ଶୁଦ୍ଧ ପୂତ ଭାବେ ସ୍ନାନ କରି ଖାଲି ପାଦରେ ସିଂହଦ୍ଵାରକୁ ଯିବା ବେଳେ ଭକ୍ତ ଗହଳି ଓ କ୍ଯାମେରା ଯୋଗୁ ବିଳମ୍ବ ହେଉଛି । ଅର୍ଥ ରୋଜଗାର ପାଇଁ ଘରୋଇ ଚ୍ୟାନେଲ ମାନେ ମହାପ୍ରଭୁଙ୍କୁ ନେଇ ବ୍ଯବସାୟ କଲେଣି ବୋଲି ଅଭିଯୋଗ ହେଉଛି । ଦୈନଦିନ ନୀତିକାନ୍ତି ଦ୍ବାର ଫିଟା, ପତିତପାବନଙ୍କ ଆଳତି ସମୟରେ ସିଧା ପ୍ରସାରଣ କରାଯାଉ ଥିବାରୁ ଭକ୍ତ ମଧ୍ଯରେ ପୁରୀ ଭାଷାରେ ଗାଳି ଗୁଲଜ ଶଦ୍ଦ ଭକ୍ତଙ୍କ କାନରେ ବାଜୁଛି ।
ଅଯଥା ଭିଡ ଓ ବିଶୃଙ୍ଖଳା ଯୋଗୁ ସହରବାସୀ ଓ ଅନ୍ଯ ଭକ୍ତ ମାନେ ପତିତପାବନ ଦର୍ଶନରୁ ବଞ୍ଚିତ ହେଉଛନ୍ତି । କେତେକ ଟିଭି ଚ୍ୟାନେଲରେ ନିର୍ଦ୍ଧିଷ୍ଟ ଭକ୍ତ ଭୁବନେଶ୍ବର ଓ କଟକରୁ ଆସି ସେମାନଙ୍କ ଅନୁଭୂତି ବଖାଣିବାରେ ଫିକ୍ସିଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଚ୍ୟାନେଲରୁ ବଢି ବଢି ୧୫ରୁ ଉର୍ଦ୍ଧ୍ବ ଚ୍ୟାନେଲ ଏବେ ଅନଧିକାର ଭାବେ ସିଂହଦ୍ଵାର ଯାଗା ମାଡିବସି ଭିଡିଓ ସୁଟିଂ କରୁଛନ୍ତି । କେତେକ ନାମୀଦାମୀ ଓ ଭିଆଇପି ଭକ୍ତ ଦର୍ଶନ ସାରି ଫେରିବା ସମୟରେ ମୋବାଇଲ ନେଇ ନଥିବାରୁ ଭିଡିଓ ଗ୍ରାରଫରଙ୍କ ଜରିଆରେ ସେମାନଙ୍କ ମୋବାଇଲରେ ଫଟୋଚିତ୍ର ଉତୋଳନ କରି ସେମାନଙ୍କ ହ୍ବାଟସପକୁ ପଠାଇ କିଛି ହାତଗୁଞ୍ଜା ପାଉଥିବା ଆଲୋଚନା ହେଉଛି । ପ୍ରକୃତ ଓ ସାଧାରଣ ଭକ୍ତ ଅନୁଭୂତି ବଖାଣିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ମନା କରାଯାଉଥିବା କୁହାଯାଉଛି ।
ଜଣେ ଭକ୍ତ ଗୋଟିଏ ଚ୍ୟାନେଲକୁ ଅନୁଭୂତି ଦେଲେ ଅନ୍ୟ ଚ୍ୟାନେଲ କ୍ଯାମେରା ମ୍ଯାନ ସେଇ ଭକ୍ତଙ୍କ ଅନୁଭୂତି ନବା ପାଇଁ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉଛି । ଜଗନ୍ନାଥଙ୍କ ତତ୍ତ୍ଵ ସଂସ୍କୃତି ଓ ତଥ୍ଯ ଉପରେ ଅଧିକ ଜ୍ଞାନ ନଥିବା କିଛି ନୂଆ ପ୍ରବଚକ ଜଗନ୍ନାଥଙ୍କ ଉପରେ ତ୍ରୁଟିପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରୁଥିବାରୁ ତାହା ଭକ୍ତଙ୍କ ମାନସିକତାକୁ କୁଠାରଘାତ କରୁଛି । ପର୍ବ ପର୍ବାଣୀ ଶନିବାର ରବିବାର ଓ ଛୁଟି ଦିନରେ ଅଧିକ ଭକ୍ତ ଆସୁଥିବାରୁ ସିଂହଦ୍ଵାର ଚକଡାରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଫିକ୍ସି କ୍ଯାମେରା ଷ୍ଟାଣ୍ଡ ପକାଇ ଥିବାରୁ ଭକ୍ତ ଯିବା ସମୟରେ ଭିଡିଓ ଗ୍ରାଫର ସାଇଡ ହେଉନାହାନ୍ତି । ବିଭିନ୍ନ ଚ୍ୟାନେଲର ଭିଡିଓ ଗ୍ରାଫର ମାନେ ପ୍ରତିଯୋଗିତା ମୂଳକ ମାନସିକତା ଯୋଗୁ ଅନେକ ସମୟରେ ପାଟିତୁଣ୍ଡ ଓ କଥା କଟାକଟି ଯୋଗୁ ଭକ୍ତ ଅସନ୍ତୋଷ ବୃଦ୍ଧି ପାଉଛି । ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଭକ୍ତ ମହଲରେ ଦାବି ହେଉଛି ।
No Result
View All Result