No Result
View All Result
୨୩ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା -> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବର୍ଷ ବର୍ଷ ଧରି ଅବାଧରେ ଚୋରା ମଦ କାରବାର ଚାଳିଥିବା ବେଳେ ଅସହାୟ ଗରିବଙ୍କ ଏଥିରେ ଧନ, ଜୀବନ ହାନି ହେଉଛି। ବିଶେଷ କରି ଯୁବ ଛାତ୍ରମାନେ ପ୍ରଭାବିତ ହେଉଥିବା ନେଇ ପୂର୍ବରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠି ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଥିଲା।

ଗୁରୁବାର ଦିନ ପୁଣି ମହିଳା ମାନେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କୁ ଭେଟି ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଛାତ୍ର ସମାଜ ନିଶାସକ୍ତ ହେଉଥିବା ବେଳେ ଏନେଇ ପରିବାର ଲୋକେ ଚିନ୍ତାରେ ରହୁଛନ୍ତି। ହେଲେ ଏଥିପ୍ରତି ପ୍ରତି ସରକାରଙ୍କ କୌଣସି ଦୃଷ୍ଟି ପଡୁ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଅବକାରୀ ବିଭାଗ ସମ୍ପୃକ୍ତ ଅଞ୍ଚଳରେ କେବେ ପାଦ ପକାଉ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। କାଟିଙ୍ଗିଆ ପଞ୍ଚାୟତ ମାତୃ ସଂଘର ସମସ୍ତ ମହିଳା ଅଞ୍ଚଳରେ ଚାଲିଥିବା ମଦ କାରବାରକୁ ନେଇ ଚିନ୍ତା ପ୍ରକଟ କରିବା ସହ ପଡୋଶୀ ଗଞ୍ଜାମ ଜିଲାରେ ହୋଇଥିବା ମଦମୃତ୍ୟୁ ଭଳି କନ୍ଧମାଳରେ ମଧ୍ୟ ଘଟିପାରେ ବୋଲି କହିଛନ୍ତି।

ଆଗାମୀ ଦିନରେ ପୋଲିସ କିମ୍ବା ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ନ ଯାଏ ତେବେ ମହିଳାମାନେ ରାଜରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୋଲିସ ଅଭିଯୋଗ ପତ୍ର ପାଇବା ପରେ ଘଟଣାକୁ ଗୁରୁତର ଭାବେ ନେଇଛି। ତୁରନ୍ତ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ବେହେରାଙ୍କୁ କହିଛନ୍ତି । ଅଭିଯୋଗ ପତ୍ର ଦେବାବେଳେ କାଟିଙ୍ଗିଆ ସରପଞ୍ଚ ସୁଭଦ୍ରା ମଲିକ ଓ ଅନ୍ୟ ସଭାନେତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
No Result
View All Result