No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ, ଆମ ଓଡିଶା ଓ ସମ୍ବାଦ ସାହିତ୍ୟ ଘର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପୌରପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲା ବେଳେ ମୁଖ୍ଯ ବକ୍ତା ଭାବେ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ,

ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିଲେ। ସମ୍ବାଦ ଜିଲ୍ଲା ପ୍ରତିନିଧି ସନ୍ଦିପ କୁମାର ଲେଙ୍କା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଆଜିର ଦିବସଟିରେ ରକ୍ଷା ବନ୍ଧନ ଓ ବଳଦେବଜନ୍ମ କାହିଁକି ପାଳନ କରାଯାଏ ବୋଲି ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଚୌଧୁରୀ ଆଲୋଚନା କରିବା ସହିତ କୃଷି ଓ କୃଷକ ମାନଙ୍କ ପାଇଁ ଆଜିର ଦିବସଟି ଉତ୍ସବ ମୁଖର ବୋଲି କହିଥିଲେ ।

ଏହି ଭଳି ଏକ ପବିତ୍ର ଦିନରେ ଭାଇ ମାନେ ଭଉଣୀମାନଙ୍କ ଠାରୁ ରାକ୍ଷୀ ପିନ୍ଧି ନିଶା ସେବନ ନ କରିବା ପାଇଁ ଶପଥ ଗ୍ରହଣ କରିବାକୁ ଆଜିର ଏଇ ଅଭିନବ ପ୍ରୟାସ ପାଇଁ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମୁଖ୍ଯ ଅତିଥି ଶ୍ରୀମତୀ ଖଟେଇ ହାର୍ଦ୍ଦିକ ଧନ୍ଯବାଦ ଅର୍ପଣ କରିଥିଲେ। ଆଜିର ଏଇ କାର୍ଯ୍ୟକ୍ରମରେ ଉପସ୍ଥିତ ଦୁଇ ଶହ ଭାଇ ଭଉଣୀ ରକ୍ଷା ବନ୍ଧନ ସହିତ ନିଶା ନିବାରଣ ଶପଥ ଗ୍ରହଣ କରିଥିଲେ ।

ଉପସ୍ଥିତ ଝିଅ ମାନେ ଥାଳିରେ ପୁଷ୍ପ ଅକ୍ଷତ ଚନ୍ଦନ ସିନ୍ଦୁର,ଦୀପ ଧୂପ, ରାକ୍ଷୀ ସହିତ ମିଷ୍ଟାନ୍ନ ଧରି ସଂଗୀତର ତାଳେ ତାଳେ ଭାଇ ମାନଙ୍କୁ ରାକ୍ଷୀ ପିନ୍ଧାଇ ବନ୍ଦାପନା କରିଥିଲେ। ଏହାପରେ ଗଛଲଗା କାର୍ଯ୍ୟକ୍ରମ ରେ ସମସ୍ତେ ସମ୍ମିଳିତ ହୋଇ ଥିଲେ। ବିଦ୍ଯାଳୟର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ସୁବର୍ଣ୍ଣଦେଇପୁର ଓ ନୂଆ ଜୟପୁର ଗ୍ରାମକୁ ଯାଇ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ।

ବିଦ୍ଯାଳୟରେ ଆୟୋଜିତ ଏହି ଦିବ୍ୟ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଗୋକୁଳ ଚନ୍ଦ୍ର ଷଡଙ୍ଗୀ,ସେବା ଅନୁଷ୍ଠାନର ଭାଇ ଭଉଣୀ, ବିଦ୍ଯାଳୟର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ଡକ୍ଟର ସୁକାନ୍ତି ମହାନ୍ତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
.


No Result
View All Result