ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ହିଞ୍ଜିଳିକାଟୁ :- କିଛି ଦିନର ନିରବତା ପରେ ପୁଣି ଥରେ ହିଞ୍ଜିଳି ଥାନା ଅଂଚଳରେ ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ମକରଝୋଳ- ରଙ୍ଗଣିପଲ୍ଲୀ ମଧ୍ୟବର୍ତି ଗ୍ରାମ ନିକଟରୁ ରାତ୍ରି ଜଗୁଆଳିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଗ୍ୟାସ୍ ପାଇପ୍ ବିଛାଇବା ସକାଶେ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟରୁ ବ୍ୟାଟେରି ଓ କମ୍ପ୍ରୋସର ଲୁଟି ନେବା ସହ ନିକଟରେ ଥିବା ଏକ ଜେସିବିକୁ ଭଙ୍ଗାରୁଜା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଯିବା ସମୟରେ ଘଟଣା ନେଇ ଥାନାରେ ଅଭିଯୋଗ କଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ କାରୀଙ୍କ ସୁତ୍ରରୁ ପ୍ରକାଶ । ପାରାଦ୍ୱୀପ ଗ୍ୟାସ୍ କମ୍ପାନୀ ପକ୍ଷରୁ ଗ୍ୟାସ ଲାଇନ ସଂଯୋଗ ସକାଶେ ମାଟିତଲେ ପାଇପ୍ ବିଛା କାମ ସକାଶେ ଏକ ଘରୋଇ କମ୍ପାନୀ ପାରା ଗ୍ରୀନକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ହିଞ୍ଜିଳି ଥାନା ମକରଝୋଳ- ରଙ୍ଗଣିପଲ୍ଲୀ ମଧ୍ୟବର୍ତି ଗ୍ରାମ ନିକଟସ୍ଥ ଅଂଚଳରେ କାର୍ଯ୍ୟ ଚାଲିଥିଲା । ସଂପୃକ୍ତ କାର୍ଯ୍ୟରେ ସ୍ଥାନୀୟ ଥାନା କଂଚୁରୁ ଗ୍ରାମର ରମେଶ ନାୟକ ଓ ସଞ୍ଜୟ ନାୟକଙ୍କୁ ରାତ୍ର ଜଗୁଆଳି ଭାବେ ଗତ ପ୍ରାୟ ଦେଢ ମାସ ପୂର୍ବରୁ ନିୟୋଜିତ କରାଯାଇଥିଲା ।
ମଙ୍ଗଳବାର ବିଳମ୍ବିତ ରାତିରେ ୭/୮ ଜଣ ଲୁଟେରା ୨ଟି ମୋଟର ସାଇକେଲ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଯୋଗେ ଆସି ଉପସ୍ଥିତ ୨ ଜଣ ରାତ୍ରି ଜଗୁଆଳିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଗ୍ୟାସ୍ ପାଇପ୍ ବିଛାଇବା ସକାଶେ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର (ଓଡ଼ି୦୭ଏମ ୫୦୧୭)ବ୍ୟାଟେରି ଓ କମ୍ପ୍ରୋସର ଲୁଟି ନେବା ସହ ନିକଟରେ ଥିବା ଏକ ଜେସିବିକୁ ଭଙ୍ଗାରୁଜା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଲୁଟେରା ମାନେ ଉଭୟ ହିନ୍ଧୀ ଓ ଓଡ଼ିଆ ଭାଷାରେ କଥାବାର୍ତା କରୁଥିବା ନେଇ ଅଭିଯୋଗକାରୀଙ୍କ ଠାରୁ ପ୍ରକାଶ । ଘଟଣା ନେଇ ରାତ୍ର ଜଗୁଆଳୀ ରମେଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଲୁଟେରାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ( ରିପୋର୍ଟ-ଶେଷଦେବ ସାହୁ )