No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସରକାରକଂ ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ନିସ୍ଫଳ । ଯୋଜନାର ଭିଡ ଆଉ ଭୋକର ଭୂଗୋଳ ପୃଷ୍ଠା ମଣ୍ଡନ କରି ,ଲୋକଲୋଚନକୁ ଆସିଛି ଆଉ ଏକ ନଗଡାର ଚିତ୍ର । ପାହାଡ ତଳେ , ଝାଟି ମାଟି ଛଣ ଛପର ଘର । ଫୁଙ୍ଗୁଳା ଦେହରେ ଗୋଟି ଗୋଟି ବାରିହୋଇ ପଡୁଛି ପଂଜରା ହାଡ । ତା ସାଙ୍ଗକୁ ନୁଖୁରା ମୁଣ୍ଡ , କୋଟରଗତ ଚକ୍ଷୁ । କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି । ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡୁଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପଶ୍ଚିମାଞ୍ଚଳ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ ନଗଡ଼ାର ଏଭଳି ଭିନ୍ନ ଏକ ଚିତ୍ର ପ୍ରାଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କୋହ୍ଲସାହି କହିଲେ ଦଶପଲ୍ଲା ସମେତ ଆଖପାଖ ଗ୍ରାମର ଲୋକ ବେଶ୍ ଜାଣନ୍ତି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ସେମାନେ ହେଉଛନ୍ତି ଶବର ବା ଶବର ସମାଜ ଗାଁରେ ୪୦ ପରିବାର ଦୀର୍ଘବର୍ଷ ସ୍ଥାୟୀ ଭାବେ ବସବାସ କରି ଆସୁଛନ୍ତି । ପ୍ରତି ପରିବାରରେ ୫ରୁ ୭ଟି ଛୁଆ ରହିଛନ୍ତି। ବିଦ୍ୟାଳୟରେ ନାଁ ଲେଖା ହୋଇଛି ସତ, ହେଲେ କେହି ବିଦ୍ୟାଳୟ ବାରଣ୍ଡା ମାଡ଼ରି ନାହିଁ। ଗାଁରେ କେହି ସାର୍ଟ-ପ୍ୟାଣ୍ଟ ପିନ୍ଧା ଲୋକ ପହଞ୍ଚିଲେ, ବାବୁ ଆସିଛନ୍ତି କହି କିଏ ଘରକୁ ଦୌଡ଼ି ପଳାଉଛି ତ ପୁଣି କିଏ ବାବୁ ଚକୋଲେଟ୍ ଦେବେ କହି ଧାଇଁ ଆସିଥାନ୍ତି। ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ହେଲେ କେବେ ଦିଦି କେବେ ଆସନ୍ତି ଓ ଯାଆନ୍ତି ତାହା କେହି ଜାଣନ୍ତି ନାହିଁ । ବାଲ୍ୟ ବିବାହ ସତେ ଯେମିତି ଏ ଗାଁ ର ଏକ ପରଂପରା ।
ଜନ୍ମ ମୃତ୍ୟୁ ଓ ଗର୍ଭବତୀ ପଂଜିକରଣ କଣ ଓ କଣ ମିଳେ ସରକାରୀ ସହାୟତା , ସେ ବିଷୟରେ ଜାଣନ୍ତି ନାହିଁ ପଡାବାସୀ । ବିଭିନ୍ନ ସମୟରେ ଅଙ୍ଗନବାଡ଼ିକୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆର୍ବିଏସ୍ ଟିମ୍ ପହଞ୍ଚୁଛି। ମାତ୍ର ସ୍ଵାସ୍ଥ୍ୟ ପରୀକ୍ଷା କରାଇଲେ ୮ ୦ ଭାଗ ପିଲା ନିଶ୍ଚୟ ଅପପୁଷ୍ଟି ଥିବା ଚିହ୍ନଟ ହେଉଛନ୍ତି । କିନ୍ତୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ କେହି ରାଜି ହେଉନାହାନ୍ତି। ଗାଁର ଅଧିକାଂଶ ଶିଶୁ ଚର୍ମରୋଗରେ ଆକ୍ରାନ୍ତ । ବିଦ୍ୟାଳୟରେ ନାମ ଲେଖା ଯାଉଥିଲେ ବି ଏଯାଏଁ ଗ୍ରାମର କେହି ଦଶମ ଡେଇଁ ନାହାନ୍ତି । ଗାଁ ଲୋକେ ଜଙ୍ଗଲରୁ ମହୁଲ, ଲାଖ, ଝୁଣା ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି । ବଡ଼କଥା ହେଉଛି, ଅନେକ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି ।
ମାତ୍ର ଘର ନିର୍ମାଣ ନ ହୋଇ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଛି । ଯେଉଁଥିରେ ଠିକାଦାରଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଳକ୍ ପ୍ରଶାସନର ପ୍ରଚ୍ଛନ୍ନ ଭୂମିକା ରହିଛି। ଫଳରେ ବହୁ ପରିବାର ଏବେ ଝାଟିମାଟି ଛଣ ଛପର ଭଙ୍ଗାକୁଡ଼ିଆରେ ପଡ଼ି ରହିଛନ୍ତି । ଏହି ଆଦିବାସୀ ବସ୍ତିର ଅନେକ ପରିବାର ରାସନ୍ ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଅଶୋକ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଆଧାରକାର୍ଡ ନଥିବାରୁ ଅନେକ ପରିବାର ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି । ଆଧାରକାର୍ଡ କରିବାକୁ ଯେତେ କହିଲେ ମଧ୍ୟ କେହି ଶୁଣୁନାହାନ୍ତି । ତେବେ ଦେଖାଯାଉ କେବେ ବଦଳୁଛି କୁଲୁରୁକୁମ୍ପା ଳୋହ୍ଲ ସାହିର ଚିତ୍ର ।

No Result
View All Result