୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗତ କିଛି ମାସ ଧରି ହିଞ୍ଜିଳିକାଟୁ ବସ୍ ଟର୍ମିନାଲ କିଛି ରୋମିଓଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ରୋମିଓ ବସ୍ ଟର୍ମିନାଲ ପରିସରରେ ଆଡ୍ଡା ଜମାଇ କଲେଜ ଓ ଘରୋଇ ଟିୟୁସନକୁ ଆସୁଥିବା ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଆଶାଳୀନ ଇଙ୍ଗିତ ସହ କମେଣ୍ଟ ମାରୁଥିବା ଏବେ ନିତିଦିନିଆ ଦୃଶ୍ୟ ପାଲଟିଛି । ମଙ୍ଗଳବାର ୬ ଜଣ ଯୁବକ ୨ଟି ବାଇକ୍ରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚି କିଛି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ସେଠାରେ ତୁମୁଳକାଣ୍ଡ ଘଟିଥିଲା । ସେଠାରେ ଉପସ୍ଥିତ କିଛି ଲୋକେ କମେଣ୍ଟ କରୁଥିବା ଯୁବକ ମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରୁ ୫ ଜଣ ଯୁବକ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିଥିଲେ । ସଂପୃକ୍ତ ଯୁବକଙ୍କୁ ଛେଚିଲା ପରେ ଉପସ୍ଥିତ ଥିବା ଲୋକେ ପୁଲିସକୁ ଡାକି ଜିମା ଦେଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ସହରରେ ଆଲୋଡନ ସୃଷ୍ଟି କରିଛି।
ସ୍ଥାନୀୟ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ୩ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟକୁ ଆସିବା ପୂର୍ବରୁ ଓ ଶିକ୍ଷା ଛୁଟି ପରେ ସ୍ଥାନୀୟ ପୌରାଞ୍ଚଳରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ୨୦ରୁ ଉର୍ଦ୍ଧ୍ୱ ଘରୋଇ ଟିୟୁସନକୁ ସହର ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବହୁ ଛାତ୍ରଛାତ୍ରୀ ଅଧ୍ୟୟନ ସକାଶେ ଆସୁଥିବା ଜଣାପଡିଛି । ଫଳରେ ପ୍ରତ୍ୟହ ସକାଳୁ ସନ୍ଧ୍ୟା ଯାଏଁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସର ଛାତ୍ର, ଛାତ୍ରୀଙ୍କ ଗହଳି ଜମୁଥିବା ଦେଖିବାକୁ ମିଳିଛି । କିନ୍ତୁ ବସ୍ ଟର୍ମିନାଲ ପରିସରରେ ପୁଲିସ ପ୍ରଶାସନ ପକ୍ଷରୁ ଜଣେ ମାତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି । ବସ୍ ଟର୍ମିନାଲ ପରିସରରେ ଅପେକ୍ଷା ରତ ଯାତ୍ରୀଙ୍କ ସୁରକ୍ଷା, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସିସିଟିଭି ସଂଯୋଗ ବ୍ୟବସ୍ଥା ନାହିଁ ।















