ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ବାଲେଶ୍ୱର :- ଶ୍ରାବଣ ଅଧା ହେଲା, ବର୍ଷାର ଦେଖାନାହିଁ । ବାଲେଶ୍ୱର ଜିଲ୍ଲାରେ ମରୁଡ଼ି ଆଶଙ୍କା । ଶ୍ରାବଣ ମାସ ଆସିଲେ ଚାଷୀ ମୁହଁରେ ହସ ଫୁଟେ । ହେଲେ ଚଳିତ ଶ୍ରାବଣ ମାସ ଚାଷୀ ମନରେ ଦୁଃଖ ଦେଇଛି । ବର୍ଷ ନଥିବାରୁ ଜମିରେ ପାଣି ନାହିଁ । ଧାନ ବିଲ ଫାଟି ଆଁ କଲାଣି । ଫଳରେ ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖାଯାଉଛି l ବାଲେଶ୍ୱର ଜିଲ୍ଲା ଭିତରେ ରହିଛି ବସ୍ତା, ଜଳେଶ୍ୱର, ଭୋଗରାଇ, ରେମୁଣା, ବାଲିଆପାଳ, ନୀଳଗିରିର ବିଭିନ୍ନ ଅଂଚଳ । ବାଲେଶ୍ୱର ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ବର୍ଷା ହୋଇଛି । ଏହିସବୁ ଅଂଚଳରେ ଧାନ ରୁଆପୋତା କାମ ଶେଷ ହୋଇଥିଲେ ମଧ୍ୟ ଜମିରେ ପାଣି ନଥିବାରୁ ମରୁଡ଼ି ଆଶଙ୍କା କରାଯାଉଛି l ବାଲେଶ୍ୱରରେ ବିଭିନ୍ନ ଅଂଚଳରେ ସ୍ଵାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି । ଏବର୍ଷ ମାତ୍ର ୨ଟି ଲଘୁଚାପ ହୋଇଥିବାରୁ ବର୍ଷାର ପରିମାଣ କମିଛି l
କରୋନା ସଙ୍କଟ ଭିତରେ ମରୁଡ଼ି ଆଶଙ୍କା ବଢ଼ିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବଜେଟ କାଣ୍ଟଛାଣ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି । ଏପରିସ୍ଥଳେ କମ୍ ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି । ଚଳିତ ବର୍ଷ କରୋନା ସଙ୍କଟ ଭିତରେ ମରୁଡ଼ି ଆଶଙ୍କା ସ୍ଥିତିକୁ ଆହୁରି ସଙ୍ଗୀନ କରିବ ବୋଲି ଆଶାକରାଯାଉଛି l ବାଲେଶ୍ୱର ଜିଲ୍ଲା ଚାଷୀର ମରୁଡି ମୁଣ୍ଡ ବିନ୍ଦାର କାରଣ ହୋଇଛି l କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ରାଜ୍ୟ ଲକ୍ଡାଉନ୍ ଏବଂ ସଟ ଡାଉନ୍ ଲାଗୁ କରାଯାଉଛି । ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଚାଷୀ ଫସଲ ଅମଳ କରିବାକୁ ଜମିକୁ ଯାଇପାରି ନଥିଲା । ଫଳରେ ଚାଷୀ କ୍ଷତି ସହିଥିଲା । ପନିପରିବା ଚାଷରେ କ୍ଷତି ସହିଥିବା ଚାଷୀ ଆଶା କରିଥିଲା ଯେ, ଏବର୍ଷ ଧାନ ଅମଳ ହେଲେ ଦି ପଇସା ପାଇବ। କିନ୍ତୁ ବର୍ଷା ନଥିାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଶ୍ରାବଣ ମାସ ଅଧା ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ବର୍ଷାର ଦେଖା ନାହିଁ । ଧାନ ଚାଷ ପାଇଁ ଯେତିକି ପାଣି ଦରକାର ବାଲେଶ୍ୱର ଜିଲ୍ଲାରେ ତାର ଅଭାବ ଦେଖାଦେଇଛି । ( ରିପୋର୍ଟ / ଦୀପ୍ତିମାନ ପତି /ବାଲେଶ୍ୱର )