No Result
View All Result
ଭାରତୀୟ ସେନା ତରଫରୁ ଆୟୋଜିତ ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ରେକର୍ଡ କଲେ ଏବଂ ମା’ ମାଟି, ରାଜ୍ୟ ତଥା ଦେଶ ପାଇଁ ଯଶ ଆଣିଲେ।
ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି’: ଗିରିଜା

୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଜଣେ ଓଡ଼ିଆ ଯବାନ ସାମରିକ ବିଭାଗର ସ୍କୁଭା ଡାଇଭିଂ ତାଲିମ ପ୍ରତିଯୋଗିତାରେ ସାରା ଭାରତରେ ୨ୟ ଓ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଦେଶ, ରାଜ୍ୟ, ଜିଲ୍ଲା ତଥା ନିଜ ଭିଟାମାଟି ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଜୁଲାଇ ୨୫, ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତାଙ୍କୁ ସ୍ଵତନ୍ତ୍ର ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଜଣା ପଡିଛି। ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲା ପ୍ରଶାସନର ମୁଖ୍ୟ ନୟାଗଡ଼ ଜିଲ୍ଲାପାଳ ସ୍ଵଧାଦେବ ସିଂ।

ସୂଚନା ଥାଉ କି, ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡ଼ପଡା ଗ୍ରାମର ତୁଳସୀ ଦେବୀ ଓ ସ୍ଵର୍ଗତ ସାରଙ୍ଗଧର ପେଣ୍ଠୋଇଙ୍କ ଏକମାତ୍ର ବିବାହିତପୁଅ ଗିରିଜା କାନ୍ତ ବଳିୟାରସିଂହ ଅଧୁନା ଆସାମ୍ ଜୋରାହାଟର ସାମରିକ ବିଭାଗର ହାବିଲଦାର ଭାବେ କାର୍ଯ୍ୟରତ। ଭାରତୀୟ ସେନା ବିଭାଗ ତରଫରୁ ଚଳିତ ବର୍ଷ ଆଣ୍ଡମାନ୍ ନିକୋବର ଦ୍ଵୀପପୁଞ୍ଜରେ ଗତ ଜାନୁୟାରୀ ୨୯ ତାରିଖରୁ ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଆଡ଼ଭେଞ୍ଚର୍ସ ଟ୍ରେନିଂ କ୍ୟାମ୍ପରେ ସେ ଅଂଶ ଗ୍ରହଣ କରିଥିଲେ। ମୋଟ୍ ୫୫ଜଣ ଯବାନଙ୍କ ମଧ୍ୟରୁ ଯେଉଁ ୫ଜଣ ମାଲେସିଆ ଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇବା ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗିରିଜା।

ଏହି ଦୁଃସାହସିକ ଆଡ଼ଭେଞ୍ଚର୍ସ ଟ୍ରେନିଂକ୍ୟାମ୍ପରେ ଗିରିଜା କାନ୍ତ ଆଣ୍ଡମାନ ନିକୋବର ଠାରୁ ଦୂର ଦ୍ଵୀପପୁଞ୍ଜ ଯଥା ପୋର୍ଟ ବ୍ଳେୟାର,ହାବଲକ୍,କାମ୍ପବେଲ୍ ବେ ଓ ଚିଡିୟା ଟାପୁ ଆଦି ଦ୍ଵୀପପୁଞ୍ଜର ସମୁଦ୍ର ଗଭୀରକୁ ଯାଇଛନ୍ତି। କିନ୍ତୁ ହାବଲକ୍ ର ପ୍ରାୟ ୫ କିଲୋମିଟର ପରିଧି ସମୁଦ୍ର ଅତଳ ଜଳରାଶି ଭିତରେ ତିନି ଘଣ୍ଟା ମଧ୍ୟରେ ୭୩ ମିଟର ଗଭୀରତାକୁ ଅତିକ୍ରମ କରି ଦୁଃସାହସିକ ତାର ପରିଚୟ ଦେଇଥିଲେ। ତେଣୁ ଭାରତୀୟ ସେନା ତରଫରୁ ସେ ମାଲେସିଆ ଯାଇ ସେଠାକାର ସମୁଦ୍ରର ସମୁଦ୍ର ଜଳ ପତନର ୧୨୦ମିଟର ଗଭୀରକୁ ଯିବା ପାଇଁ ଅଭ୍ୟାସ କରିବା ସହ ଗଭୀର ସମୁଦ୍ର ଜଳରାଶିରେ ଯୁଦ୍ଧ କୌଶଳ ଶିକ୍ଷା ଗ୍ରହଣ କରିବା ସହ ସମରାଭ୍ୟାସ କରିବେ ବୋଲି ଭାରତୀୟ ସେନା ତରଫରୁ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ଜିଲ୍ଲା ପ୍ରଶାସନ ଭାରତୀୟ ସେନା ବିଭାଗରୁ ଅବଗତ ହେଲା ପରେ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ସ୍ଥିର କରା ଯାଇଥିଲା । ସେହି ସମୟରେ ଗିରିଜା ମାଲେସିଆ ଯିବାର କାର୍ଯ୍ୟକ୍ରମ ଥିବାରୁ ସେଦିନ ସେ ଅନୁପସ୍ଥିତ ରହିବେ ବୋଲି ଜଣାପଡିଛି । ଉକ୍ତ ଘଟଣା ସମ୍ପର୍କରେ ପୂରା ସୂଚନା ମିଳିବାପରେ ନୟାଗଡ଼ ଜିଲ୍ଲା ସମେତ ରଣପୁର ତଥା ନିଜ ଜନ୍ମଭୂମି ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି। ଏସମ୍ପର୍କରେ ଗିରିଜାଙ୍କୁ ପଚାରିଲେ ନିଜ ସ୍ଵଭାବ ଢ଼ଙ୍ଗରେ- ‘ମୁଁ ମୋ ଦେଶ, ରାଜ୍ୟ, ଜିଲ୍ଲା ,ରଣପୁର ତଥା ମୋ ଜନ୍ମିତ ଗାଁ’ ଝାଡ଼ପଡାର ମର୍ଯ୍ୟାଦା ପାଇଁ କିଛି ବି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି । ଦେଶପାଇଁ ସମର୍ପିତ ଏଇଭଳି ଦୁଃସାହସିକ ପଦକ୍ଷେପ ପାଇଁ ତାଙ୍କ ଧର୍ମପତ୍ନୀ ରଶ୍ମିତା ତାଙ୍କୁ ପ୍ରେରଣା ଦିଅନ୍ତି ବୋଲି କହିଛନ୍ତି ।

No Result
View All Result