ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- କରୋନା ସଂକ୍ରମଣରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମଣ ସଂଖ୍ୟା କମିଛି । ରାଜ୍ୟରେ କରୋନା ହଟସ୍ପଟ ଭାବେ ଚିହ୍ନିତ ଏହି ଜିଲ୍ଲା ଏବେ ପ୍ରଥମ ସ୍ଥାନରୁ ତଳକୁ ଖସି ଦ୍ଵିତୀୟ ସ୍ଥାନରେ ରହିଛି । ଜିଲ୍ଲାର ସାଙ୍ଘାତିକ ପରିସ୍ଥିତି କୁ ଲକ୍ଷ୍ୟ ରଖି ଏହା ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଅନ୍ୟାନ୍ୟ ସଂକ୍ରମିତ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ସ୍ଥିତି ଅତି ସଙ୍ଗୀନ । ଏଭଳି ଏକ ବିଷମ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି । ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସହ ଯୋଗରେ ରେପିଡ଼ ରେସପନ୍ସ ଟିମ ସହାୟତାରେ ସମସ୍ତ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି । ଏଥିପାଇଁ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗ ନ ଲୁଚାଇ ସ୍ୱାବ ନମୁନା ପରୀକ୍ଷା ଜରିଆରେ ରୋଗମୁକ୍ତ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ପଞ୍ଚାୟତ ସ୍ତରରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ସ୍ଥାନୀୟ ବ୍ଲକର ଦୟାପଲ୍ଲୀ ଗ୍ରାମରେ ରବିବାର ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ଗ୍ରାମର ୩୨ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରିଥିଲେ । ପିଇଓ ଜେ ରାଜେଶ ରାଓ, ସରପଞ୍ଚ ବି ଆପେୟା,ଏଏନଏମ୍, ଆଶା ଓ ଅଙ୍ଗନବାଡିକର୍ମୀ ଅଂଶ ଗ୍ରହଣ କରିଥିଲେ । (ହିଞ୍ଜିଳିକାଟୁ / ଶେଷଦେବ ସାହୁ)