No Result
View All Result
୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଙ୍ଗାଲୁରୁ :-> ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୂତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଥିବା ଜଣାଯାଇଛି। ଏଠାରେ ବଢ଼ି ଭୋରରୁ ମଙ୍ଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ସାହାଣା ମେଳା ଆଦି ଧାର୍ମିକ ରୀତିନୀତିକୁ ଯଥାରୀତି ସମ୍ପନ୍ନ କରାଯାଇଥିଲା। ଦିନ ୧୨ଟା ୧୫ମିନିଟରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ମନ୍ଦିର ସାମ୍ନାର ବଡ ଦାଣ୍ଡରେ ମହଜୁଦ ଥିବା ସୁନ୍ଦର ସୁଶୋଭିତ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତମାନଙ୍କ ଦ୍ୱାରା ଭଜନ, କୀର୍ତ୍ତନ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ନିଆଯାଇଥିଲା। ବିଶିଷ୍ଟ ଉଦ୍ୟୋଗପତି ସଞ୍ଜୟ କୁମାର ରାଉତ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ଅଢ଼େଇ ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥଟିକୁ ଦୀର୍ଘ ଏକ କିଲୋମିଟର ଟଣାଯାଇ ସନ୍ଧ୍ୟାରେ ମାଉସୀ ମା’ ମନ୍ଦିର ନିକଟରେ ପହୁଞ୍ଚାଯାଇଥିଲା।

ଚଳିତବର୍ଷ ରଥଯାତ୍ରା ଉତ୍ସବରେ ପ୍ରାୟ ୬୦ ହଜାର ଦର୍ଶକଙ୍କର ସମାଗମ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଦଣ୍ଡାୟମାନ ଶ୍ରଦ୍ଧାଳୁମାନେ ରଥ ଉପରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଦିବ୍ୟ ଦର୍ଶନ କରି କୃତକୃତ୍ୟ ମନେ କରୁଥିବା ଓ ଭକ୍ତି ଭାବରେ ଅଭିଭୂତ ହେଉଥିବାର ଦୃଶ୍ୟ ବେଶ ମର୍ମସ୍ପର୍ଶି ଥିଲା। ଏଠାରେ ଉପସ୍ଥିତ ଥିବା ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟକ ସତୀଶ କୁମାର ରେଡ୍ଡୀ, ସୁନୀଲ କୁମାର ମିଶ୍ର ଏବଂ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଆଗରା ଜଗନ୍ନାଥ ମନ୍ଦିରର ୨୫ବର୍ଷ ପୂର୍ତ୍ତି ଉପଲକ୍ଷ ରଥଯାତ୍ରାର ଶୁଭ ଅବସରରେ ପ୍ରକାଶିତ “କଥା ମୃତ” ଶୀର୍ଷକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମଗ୍ର ମହୋତ୍ସବକୁ ସୁଚାର ରୂପେ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟିବୃନ୍ଦ ତଥା ସମ୍ପାଦନା ମଣ୍ଡଳୀର ସଦସ୍ୟ ନିହାର ସାମନ୍ତରା, ଡଃ ପ୍ରତାପ ପାଣି, ହର ମହାପାତ୍ର, ପରିଚାଳନା ଟ୍ରଷ୍ଟି କାମାକ୍ଷା ପଣ୍ଡା, ମନୋଜ ପାତ୍ର, ଏନ.ଆର.ବି ପଟ୍ଟନାୟକ, ଡଃ ଶିତିକଣ୍ଠ ଷଡ଼ଙ୍ଗୀ, ନନ୍ଦ କିଶୋର ଜେନା, ଚକ୍ରଧର ସ୍ୱାଇଁ, ମନୋଜ ମହାପାତ୍ର, ପ୍ରକାଶ ସାମନ୍ତରା, ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦଗାତା ଓ ପୁଣ୍ୟଶ୍ଳୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
No Result
View All Result