ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :– ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶକୁ କବଳିତ କରିଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଜଣାପଡ଼ିଛି । କରୋନାକୁ ପ୍ରତିହିତ କରିବା ସକାଶେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯିବା ସହ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଅଗଷ୍ଟ ପହିଲାରୁ ଅନଲକ-୩ କାର୍ଯ୍ୟକାରୀ କରାଯିବା ସହ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଯାଇଛି । କଟକଣାରେ କିଛି ଟା କୋହଳ ହେବା ପରେ କିଛି ଅମାନିଆ କୋଭିଡ଼ କଟକଣାକୁ ଅମାନ୍ୟ କରି ବିନା କାରଣରେ ସହର ସାରା ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୌରାଂଚଳର ମୁଖ୍ୟ ରାସ୍ତାର ଉଭୟ ପ୍ୱାଶ୍ୱର୍କୁ ବାଉଁଶବାଡ଼ ସହାୟତାରେ ସିଲ୍ କରାଯିବା ସହ ଯାନବାହନ ଯାଂଚ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରାଯାଉଛି । ହିଞ୍ଜିଳି ଥାନା ଅଂଚଳରେ ୭ଟି ପୁଲିସ ଗାଡ଼ି ସହାୟତାରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
କରୋନାର ସମୀକ୍ଷା କରିବା ସକାଶେ ସ୍ଥାନୀୟ ଅଂଚଳକୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ ହିଞ୍ଜିଳି ଗ୍ରସ୍ତରେ ଆସି ପୌରାଂଚଳର ଉଭୟ ପାର୍ଶ୍ୱରେ ସିଲ୍ କରାଯାଇ ଯାନବାହନ ଯାଂଚ କାର୍ଯ୍ୟକୁ କିପରି ପାଳନ କରାଯାଉଛି ତଦାରଖ କରିଥିଲେ । ପ୍ରତ୍ୟହ ଅପରାହ୍ନ ୧ ଘଟିକା ପରେ ଯାତାୟତକୁ ସମ୍ପୁର୍ଣ୍ଣ ବନ୍ଦ କରିବା ସହ ଅବମାନନା କରୁଥିବା ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଏସପି ରାୟ, ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଜରୁରୀ କାର୍ଯ୍ୟ ଦର୍ଶାଇ ଯାତାୟତ କରୁଥିବା ବ୍ୟକ୍ତିିଙ୍କ ନାମ, ଠିକଣା, ମୋବାଇଲ ନମ୍ବର ଓ ଗାଡ଼ିର ରେଜିଷ୍ଟେସନ ନମ୍ବର ଲିପିବଦ୍ଧ କରିବା ସକାଶେ ପରାମର୍ଶ ଦେଇଥିଲେ । ସାପ୍ତାହନ୍ତ ସଟଡ଼ାଉନର ପ୍ରଥମ ଦିବସ ଶନିବାର ଦିନ ବିନା କାରଣରେ ମୋଟର ସାଇକେଲରେ ଘୁରି ବୁଲୁଥିବା ଆରୋହୀଙ୍କ ଠାରୁ ୧୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଯାନବାହାନ ଯାଂଚ କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ବହୁ ଅଧିକାରୀ ଓ ପୁଲିସ ଫୋର୍ସ ମୃତୟନ ଥିଲେ । ( ରିପୋର୍ଟ -ଶେଷଦେବ ସାହୁ )