ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :– ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଛି । ଏଭଳି ଦୁର୍ଦ୍ଧିନ ସମୟରେ ବାହାର ରାଜ୍ୟ ଗୁଜୁରାଟ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ ପ୍ରମୁଖ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣି ରାଜ୍ୟ ସରକାର ଗୌରବ ଅର୍ଜନ କରିଛନ୍ତି । ମହାମାରୀ କରୋନାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସମେତ ପ୍ରଶାସନ ପକ୍ଷରୁ ଜନସଚେତନ କରାଯିବା ସହ ପ୍ରଶାସନ ପକ୍ଷରୁ ଜାରି ରହିଥିବା ଉଦ୍ୟମ ବେଶ ପ୍ରଂଶସନୀୟ । ଓଡ଼ିଆ ପ୍ରବାସୀ ଭିଟାମାଟିକୁ ଫେରିବା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ୧୪ ଦିନ ସକାଶେ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧ କେନ୍ଦ୍ର ରହଣି ସମୟରେ ପ୍ରବାସୀଙ୍କ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ପ୍ରଶାସନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁରଣ ପରେ ହୋମ କ୍ୱାରେଂଟାଇନରେ ରହିବା ସକାଶେ ପରାମର୍ଶ ଦିଆଯିବା ସହ ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ସକାଶେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ସହାୟତା ରାଶି ପ୍ରଦାନ କରାନଯିବାରୁ ଆଗାମୀ ଦିନରେ ପ୍ରବାସୀ ମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ବ୍ଳକ କଂଚୁରୁ ପଂଚାୟତ କଂଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ କଂଚୁରୁ ପଂଚାୟତ କଂଟେଇକୋଳି ଗ୍ରାମ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ୪୬ ଜଣ ପ୍ରବାସୀ ରହିଥିଲେ ।
ଗତ ଜୁନ ୨୯ ତାରିଖରେ ବମ୍ବେରୁ ୧୦ ଜଣ ପ୍ରବାସୀ ଭିଟାମାଟିକୁ ଫେରିବା ପରେ ସରକାରଙ୍କ ନିୟମାନୁସାରେ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପିତ କରିଥିଲେ । କଂଟେଇକୋଳି ଗ୍ରାମ ଗୋପିନାଥ ସାହିର ସୁର୍ଦଶନ ଦାଶଙ୍କ ପରିବାରର ୭ ଜଣଙ୍କ ସମେତ ଅନ୍ୟ ୨ଟି ପରିବାରର ୩ଜଣ ରହିଥିଲେ । ଜୁଲାଇ ୪ ତାରିଖରେ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରିଥିବା ୪୬ ପ୍ରବାସୀଙ୍କ ଅବଧି ପୁରଣ ପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ନିଜ ନିଜ ଘରକୁ ପେରାଇ ଦିଆଯିବା ସହ ହୋମ କ୍ୱରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଅବଶିଷ୍ଟ ୩ଟି ପରିବାରର ୧୦ଜଣଙ୍କୁ ସଂପୃକ୍ତ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାନଯାଇ ହିଞ୍ଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ୧୦ ପ୍ରବାସୀ ହିଞ୍ଜିଳିକାଟୁ ପୌରାଂଚଳ ସଙ୍ଗରୋଧ କେନ୍ଦ୍ରକୁ ନଯାଇ ହୋମ କ୍ୱାରେଂଟାଇନରେ ରହିଥିଲେ । ହୋମ କ୍ୱାରେଂଟାଇନରେ ୭ ଦିନ ଅବଧି ପୁରଣ ପରେ ସହାୟତା ରାଶି ସକାଶେ ସଂପୃକ୍ତ ପଂଚାୟତର ସରଂପଚଙ୍କ ସହ ଆଲୋଚନା କରିଥିଲେ ।
ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପୁର୍ଣ୍ଣ କରିନଥିବା ଯୋଗୁଁ ୧୦ ପ୍ରବାସୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ ସେହି ସମୟରେ ସେମାନଙ୍କୁ ଅବଶିଷ୍ଟ ସମୟ ସଙ୍ଗରୋଧ କେନ୍ଦ୍ର କିମ୍ବା ହୋମ କ୍ୱାରେଂଟାଇନରେ ରହିବା ସେମାନଙ୍କ ଇଛା ବୋଲି କୁହାଯାଇଥିବା ନେଇ ପ୍ରବାସୀ କହିଛନ୍ତି । ହୋମ କ୍ୱାରେଂଟାଇନରେ ରହିଲେ ସହାୟତା ରାଶି ପ୍ରଦାନ କରାଯିବ ନାହିଁ ବୋଲି ସେହି ସମୟରେ କୁହାଯାଇନଥିଲା ବୋଲି କହିଛନ୍ତି । ଅନ୍ୟପକ୍ଷରେ ସପୃକ୍ତ ଗ୍ରାମ ପଂଚାୟତର ସରଂପଚଙ୍କ ସହ ୧୦ ପ୍ରବାସୀଙ୍କ ମନୋମାଳିନ୍ୟ ଯୋଗୁଁ ସରପଂଚଙ୍କ ସ୍ୱାମୀ ଜାଣିଶୁଣି ଏଭଳି କରିଥିବା ନେଇ ପ୍ରବାସୀ ମାନେ ଅଭିଯୋଗ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ସହାୟତା ରାଶି ନିମିଳିଲେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ୪୬ ପ୍ରବାସୀ ଘରକୁ ଫେରିବା ପରେ ମାତ୍ର ୧୦ ପ୍ରବାସୀ ୬ ଦିନ ସଂପୃକ୍ତ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସ୍ପଳ୍ପ ପ୍ରବାସୀ ରହିଥିବାରୁ ସେମାନଙ୍କୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରିବା ପୋଇଁ କୁହାଯାଇଥିଲେ ମଧ୍ୟ ସେମାନେ ସ୍ୱଇଛାରେ ହୋମ କ୍ୱାରେଂଟାଇନକୁ ଚାଲି ଯାଇଥିଲେ । ସରକାରଙ୍କ ନିୟମ ପ୍ରକାରେ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ଅବଧି ପୁର୍ଣ୍ଣ କରିନଥିବାରୁ ସହାୟତା ରାଶି ପ୍ରଦାନ କରା ଯାଇପାରିବ ନାହିଁ । ( ରିପୋର୍ଟ – ଶେଷଦେବ ସାହୁ )