ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :– ୨୦୧୯-୨୦ ଶିକ୍ଷାବର୍ଷରେ ପୁଣିଥରେ ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଜାତୀୟସ୍ତରରେ ସ୍ୱୀକୃତି ଲାଭ କରିଛି । ବୈଶୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗକୁ ବିଚାର କରି ଦେଶର ଶ୍ରେଷ୍ଠ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରେ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଜାତୀୟ ସ୍ତରରେ ୧୫ତମ ଓ ରାଜ୍ୟସ୍ତରରେ ୨ୟ ସ୍ଥାନ ଭାବେ ଶ୍ରେଷ୍ଠତ୍ୱ ଲାଭ କରିଛି । ଭାରତର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନ ମଧ୍ୟରୁ ଓଡ଼ିଶା ରାଜ୍ୟର ୧୧ଟି ଆଇଟିଆଇ ଉକ୍ତ ତାଲିକା ସ୍ଥାନିତ ହୋଇଛି । କେନ୍ଦ୍ର ସରକାରଙ୍କ ଏମଏସଡ଼ିଏଲ ବିଭାଗ ଅଧିନ ଡ଼ାଇରେକ୍ଟର ଜେନେରାଲ ପକ୍ଷରୁ ଗୁରୁବାର ତାଲିକା ପ୍ରସ୍ତୁତ କରାଯାଇଥିଲା । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ରାଜ୍ୟସ୍ତରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଇଟିଆଇ ପ୍ରତମ ସ୍ଥାନ ଅଧିକାର କରିଥିବା ବେଳେ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ୨ୟ ସ୍ଥାନ ଅଧିକାର କରିଛି । ପ୍ରକାଶ ଥାଉକି, ଗତ ୨୦୧୮ ମସିହାରେ ପ୍ରକାଶିତ ତାଲିକାରେ ମଧ୍ୟ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାଜ୍ୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା । ଉକ୍ତ ଗୌରବ ଅର୍ଜନ କରିବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ବେଶ ଉତ୍ସାହିତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ସମେତ ବହୁ ବୁଦ୍ଧିଜୀବି ଏ ନେଇ ଶୁଭେଛା ଜ୍ଞାପନ କରିଛନ୍ତି । ଅନୁଷ୍ଠାନର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହଯୋଗ ଯୋଗୁଁ ଶିକ୍ଷାନୁଷ୍ଠାନ ସଫଳତାର ଶ୍ରେୟ ଲାଭ କରିଛି ବୋଲି ଅଧ୍ୟକ୍ଷ ପଣ୍ଡା କହିଛନ୍ତି । ( ରିପୋର୍ଟ – ଶେଷଦେବ ସାହୁ )