ଖପ୍ରାଖୋଲ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଜନ ଶୁଣାଣୀ, ଚାରି ଶହ ଏକ ପରିବାର ପାଇଛନ୍ତି ଦୁଇ ଶହ ଦିନ ର କାମ
0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ୍ ସଭାଗୃହ ଠାରେ ପଞ୍ଚାୟତ ରାଜ ବିଭାଗ, ଖାଦ୍ୟ ଯୋଗାଣ ବିଭାଗ ଓ ଓସାଟ ଭୁବନେଶ୍ୱର ର ମିଳିତ ଉଦ୍ୟମ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଜନ ଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳ ବାର ଅନୁଷ୍ଠିତ ହୋଇଯାଇଛି। ଏପିଓ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିର ରେ ମୁଖ୍ୟ ଅତିଥି ତଥା ନୋଡାଲ ଅଫିସର ରୂପେ ପାଟଣାଗଡ ସହକାରୀ କଲେକ୍ଟର ମନଫିଲ କେରେକେଟା, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ଅମିତାଭ ମେଣ୍ଡେଲି, ଯୋଗାଣ ନିରୀକ୍ଷକ ବିକାଶ ଵାର୍ଲା, ବ୍ଲକ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା ପାଥର, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ ପ୍ରମୁଖ ଯୋଗଦେଇ ଥିଲେ।
ଏହି ଅବସରରେ ପ୍ରଥମେ ଅତିଥି ମାନେ ଗାନ୍ଧୀ ଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ମ ମାଲ୍ୟ ଅର୍ପଣ ସହ ଜନଶୁଣାଣୀ ଆରମ୍ଭ କରି ଥିଲେ। ପ୍ରଥମେ ଜନ ଶୁଣାଣୀ ର ଆବାହକ ପ୍ରୋଗ୍ରାମ ଅଫିସର ତଥା ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ବ୍ଲକ୍ ର ରିପୋର୍ଟ କାର୍ଡ ପଠନ କରିଥିବା ବେଳେ ଯୋଗାଣ ନିରୀକ୍ଷକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ବିବରଣୀ ପଠନ କରିଥିଲେ। ଏହି ଅବସରରେ ବ୍ଲକ୍ ସାମାଜିକ ସମୀକ୍ଷା ୟୁନିଟ ତରଫରୁ ନିର୍ଯ୍ୟାସ ରିପୋର୍ଟ ପଠନ କରାଯାଇଥିଲା। ଆଇନ ର କାର୍ଯ୍ୟକାରିତା ରେ ହୋଇଥିବା ବ୍ୟତିକ୍ରମ କୁ ସଜାଡିବାକୁ କୁହାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ଦ୍ଵିତୀୟ ଚକ୍ର ରେ ଖପ୍ରାଖୋଲ ବ୍ଲକ୍ ରେ ୬ ଲକ୍ଷ ୭୦ ହଜାର ୨୪୦ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଜଣକୁ ୩ ଶହ ଦିନ କାମ ମିଳିଥିବା ବେଳେ୪୦୧ ପରିବାର କୁ ୨ ଶହ ଦିନର କାମ ଓ ୨୪ ଶହ୫୯ ପରିବାର ୧୦୦ ଦିନର କାମ ପାଇଥିବା ଜଣାଯାଇଛି।
ଏହି ଅବସରରେ ଜଙ୍ଗଲ, ଉଦ୍ୟାନ କୃଷି, ମୃତିକ ସଂରକ୍ଷଣ ବିଭାଗ ର ଅଧିକାରୀ ମାନେ ନିଜ ବିଭାଗ ର କାମ ସମ୍ପର୍କରେ ଅବଗତ କରାଇଥିବା ବେଳେ ସାମାଜିକ ସମୀକ୍ଷକ ଦଳ ବିଭିନ୍ନ ଅସଙ୍ଗତି ଉପରେ ରିପୋର୍ଟ ପଠନ କରି ସମସ୍ୟାର ସମାଧାନ କରିବାକୁ କହିଥିଲେ। ଏହି ଅବସରରେ ରାସନ୍ କାର୍ଡ ରେ ନାମ ସଂଯୋଗ, ଜମି ଉନ୍ନତି ପାଉଣା ପାଇବାରେ ବିଳମ୍ବ ଆଦି ଉପରେ ଅଭିଯୋଗ ର ଶୁଣାଣୀ କରିଥିଲେ। ଏହି ଅବସରରେ ଗତ ଆର୍ଥିକ ବର୍ଷ ରେ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ଚଙ୍ଗରିଆ କୁ ପ୍ରଥମ, ଲାଠୋର କୁ ଦ୍ୱିତୀୟ ଓ ଘୁନସର ପଞ୍ଚାୟତ କୁ ତୃତୀୟ ପଞ୍ଚାୟତ ଭାବରେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ।
ସେହି ପରି ଅନୁଦାନ ଅର୍ଥ ଖର୍ଚ୍ଚ କରିବା ସକାଶେ ଧଣ୍ଡାମୁଣ୍ଡା ପଞ୍ଚାୟତ ପ୍ରଥମ, ରେଙ୍ଗାଲି ପଞ୍ଚାୟତ ଦ୍ୱିତୀୟ ଓ ଖପ୍ରାଖୋଲ ପଞ୍ଚାୟତ କୁ ତୃତୀୟ ପଞ୍ଚାୟତ ଭାବରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଧିକ ୩ ଶହ ଦିନ କାମ ଯୋଗାଇବା ପାଇଁ ମହରାପଦର ଗ୍ରାମ ପଞ୍ଚାୟତ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବ୍ଲକ୍ ର ୧୪୮ ଜଣ ଶ୍ରମିକ କୁ ୩ ଶହ ଦିନ ପୁରାଣ କରିଥିବା ପାଇଁ ବ୍ଲକ୍ ପ୍ରଶାସନ ମାନ ପତ୍ର ଦେଇ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ରାଜକିଶୋର ନାଏକ, ଦିଲୀପ ରାଉତ, ସୁର୍ୟଭାନୁ ମେହେର, ବଳଭଦ୍ର ନାଏକ, ରାମାନନ୍ଦ ବେହେରା, ସୁଶିଲ ଗୁରୁ, ବୈଦ୍ୟନାଥ ମିଶ୍ର, ଉମାକାନ୍ତ ମେହେର ସମେତ ସରପଞ୍ଚ , ସମିତି ସଭ୍ୟ, ଜି ଆର ଏସ, ପି ଇ ଓ, ଗାଁ ସାଥି, ଭି ଆର ପି, ଯୋଗାଣ ସହାୟକ,ଅଣକୁଶଳୀ ଶ୍ରମିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ।