
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି । ଏମିତିକି ମଣ୍ଡିରୁ ଧାନ ନେଇ ମିଲର ପାଖକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍ । ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ । ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡ଼ିରେ ଆମେ ଜିପିଏସ୍ ଲଗାଇବୁ । ଫଳରେ ଆମେ ଜାଣିପାରିବୁ ଯେ ପ୍ରକୃତରେ ଧାନ ମଣ୍ଡିରୁ ସିଧାସଳଖ ମିଲର ପାଖକୁ ଯାଉଛି ନା ନାହିଁ । ସେହିପରି ମିଲର ପାଖରୁ ଯେତେବେଳେ ଚାଉଳ ଗୋଦାମକୁ ଆସୁଛି ସେତେବେଳେ ମଧ୍ୟ ଗାଡ଼ିରେ ଜିପିଏସ୍ ଲାଗିବ । ଗତ ୨୪ ବର୍ଷ ଭିତରେ ଦୁର୍ନୀତି ବଢ଼ିଯାଇଛି । ତାକୁ ରୋକିବାକୁ ପଡ଼ିବ ।

ସେଥିପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଡ଼ିବ । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ନିକଟରେ ମୁଁ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଗସ୍ତରେ ଯାଇଥିଲି । ସେଠାରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଓ ବହୁତ କେଳେଙ୍କାରୀ ଅଛି । ଭବିଷ୍ୟତରେ ଯେପରି ଏଭଳି ଆଉ ନଘଟେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସବୁ ମଣ୍ଡିରେ ସିସିଟିଭି ଲାଗିବ । ମାସେ ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ । ମଣ୍ଡିରେ ଦିନ ଦିନ ବା ମାସ ମାସ ଧରି କୃଷକମାନେଯେପରି ବସିବେ ନାହିଁ, ସେଥିନେଇ ନିର୍ଦ୍ଦେଶ ଦେଇଛି । କଟନୀ ଛଟନୀ ଅଦୌ ହେବ ନାହିଁ । କାଁ ଭାଁ କେଉଁଠି ଧାନର ଗୁଣାତ୍ମକମାନରେ ଯେଉଁଠି ଗଡ଼ବଡ଼ ଥିବ, ସେଠାରେ କିଛି କଟନୀ ଛଟନୀ ହୋଇପାରେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଦରଦାମକୁ ଆମେ ନିୟନ୍ତ୍ରଣକୁ ଆଣିଛୁ ।















