ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ବ୍ରହ୍ମପୁର :- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିରେ ଯାଉଥିବା ଜଣେ ଯୁବକ ଭାରସାମ୍ୟ ହରାଇ ଏକ ନିର୍ମାଣାଧୀନ ଡ୍ରେନ୍ରେ ଖସି ପଡ଼ିଥିଲେ । ଫଳରେ ଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ଲୁହା ରଡ୍ ତାଙ୍କ ଛାତିରେ ପଶି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତ ଯୁବକ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ସାମନ୍ତ ରାୟ। ତାଙ୍କ ଘର ଲାଞ୍ଜିପଲ୍ଲୀ ତୋଟାସାହିରେ । ଆଜି ସକାଳେ ପୂର୍ଣ୍ଣଚନ୍ଦ୍ର ନିର୍ମାଣାଧୀନ ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥଲେ । ଡ୍ରେନ୍ଟିର ନିର୍ମାଣ ଚାଲିଥିବା ବେଳେ ଚାରିପଟେ ବ୍ୟାରିକେଡ୍ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଯୋଗ କରିଛନ୍ତି । ଏହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।