ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ବାଲିଗୁଡ଼ା :- କରୋନା ମହାମାରୀ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ କରୋନା ସନ୍ଦେହ ମଧ୍ୟ ଲୋକଙ୍କୁ କଲବଲ କରୁଛି । ଏପରିକି ନିଜ ଗାଁ ମଶାଣିରେ ମୃତଦେହକୁ ଜାଗା ମିଳୁନି । କେତେବେଳେ ପାଖ ପଡ଼ିଶା ନାକ ଟେକୁଛନ୍ତି ତ କେତେବେଳେ ଗାଁ ମଶାଣିରେ ପୋଡ଼ିବାକୁ ଅନୁମତି ଦେଉ ନାହାନ୍ତି । କରୋନା ସନ୍ଦେହରେ ଏପରି ହିନସ୍ତା ହୋଇଛନ୍ତି ଜଣେ ମୃତକଙ୍କ ପରିବାର ଲୋକେ ।
ନିଜ ଗାଁ ମଶାଣିରେ ଜାଗା ନ ମିଳିବାରୁ ତରବରିଆ ଭାବେ ରାତି ଅଧରେ ପଡ଼ୋଶୀ ଗାଁରେ ମୃତଦେହ ପୋଡ଼ି ଦେଲେ ପରିବାର ଲୋକେ । ପୋଡ଼ା ଯାଇଥିବା ଜାଗା ମଶାଣି ହୋଇ ନ ଥିବା ବେଳେ ଗାଁ ଲୋକଙ୍କ ଯାତାୟତ ରାସ୍ତା ହୋଇଥିବାରୁ ତାତି ଉଠିଛନ୍ତି ସେମାନେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ୍ ପହଞ୍ଚି ବୁଝାଶୁଝା କରୁଛି । ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଗ୍ରୀନବାଡ଼ି ଗାଁରେ ଦେଖିବାକୁ ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ହେଲେ କରୋନା ସନ୍ଦେହରେ ଗାଁ ମଶାଣିରେ ଶବ ସତ୍କାର କରିବାକୁ ଗ୍ରାମବାସୀ ଅନୁମତି ଦେଲେନି । ଶେଷରେ ନିରୂପାୟ ହୋଇ ପରିବାର ଲୋକେ ଗ୍ରୀନବାଡି-ତଗାପଙ୍ଗା ରାସ୍ତା ପାର୍ଶ୍ଵରେ ଆଣି ମୃତଦେହ ପୋଡ଼ି ଦେଇଛନ୍ତି । ଏହି ଘଟଣା ଜଣା ପଡ଼ିବା ପରେ ଗ୍ରୀନବାଡ଼ି ଗାଁର ଶତାଧିକ ଲୋକେ ସକାଳୁ ସକାଳୁ ମୃତକଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ।