ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଓ ମୃତକ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ତଥାପି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତିତ ଭାବେ ବଢିବାରେ ଲାଗିଛି । ଅଗଷ୍ଟ ମାସରେ ଅନଲକ-୩ କାର୍ଯ୍ୟକାରୀ କରାଯିବା ସହ କଟକଣାରେ କିଛିଟା କୋହଳ କରାଯାଇଛି । ଚାହା ଓ ପାନ ଦୋକାନକୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟବସାୟିକ ଦୈନିକ ୧୧ଘଂଟା ସକାଶେ (ପ୍ରତ୍ୟହ ଭୋର ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ) ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୋକାନୀ ମାଲିକଙ୍କ ସମେତ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ନିବେଦନ କରାଯିବା ସହ ପୌରାଂଚଳରେ ଅବସ୍ଥିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ସମେତ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରିବା ସକାଶେ ଗୁରୁବାର ଠାରୁ ଆରମ୍ଭ କରାଯାଇଛି । ପୂର୍ବରୁ ସ୍ଥାନୀୟ ପୌରାଂଚଳ ହୋଲସେଲ ପରିବା ବ୍ୟବସାୟୀଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଅନେକ ବ୍ୟବସାୟୀଙ୍କ ପଜିଟିଭ ଚିହ୍ନଟ ହେବା ପରେ କିଛି ବ୍ୟବସାୟୀଙ୍କୁ ହୋମ କ୍ୱରେଂଟାଇନ, କିଛି ବ୍ୟବସାୟୀଙ୍କୁ ଆଇସୋଲେସନ ତ ଅନ୍ୟ କିଛି ବ୍ୟବସାୟିକଙ୍କୁ ଚିକିତ୍ସା ସକାଶେ ସ୍ଥାନୀୟ କୋଭିଡ଼ କେୟାର ହୋମକୁ ପଠାଇ ଦିଆଯାଇଛି ।
ସ୍ଥାନୀୟ ପୌରାଂଚଳର ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାବ ଟେଷ୍ଟିଙ୍ଗ କେନ୍ଦ୍ର ଖୋଲାଯାଇଛି । ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ କିମ୍ବା କାର୍ଯ୍ୟରତ କର୍ମଚାରୀ ମାନେ ସ୍ୱାବ ଟେଷ୍ଟ କରିବେ ନାହିଁ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯିବ ବୋଲି ସ୍ଥାନୀୟ ପୌର ପ୍ର।।ସନ ପକ୍ଷରୁ ଚେତାବନି ଦିଆଯାଇଛି । ସେହିପରି ସ୍ଥାନୀୟ ବ୍ଳକ ଗଣ୍ଡଳା ଓ ବେଲଗାଁ ଗ୍ରାମ ପଂଚାୟତରେ ବିଡ଼ିଓ ପ୍ରସନ କୁମାର ପାତ୍ର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପଂହଚି ସଂପୃକ୍ତ ଗ୍ରାମ ପଂଚାୟତର ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମାନଙ୍କୁ ସ୍ୱାବ ଟେଷ୍ଟ କରିବା ସକାଶେ ପରାମର୍ଶ ଦେଇଥିଲେ ।
ବୁଧବାର ଠାରୁ ସଂପୃକ୍ତ ଗ୍ରାମ ପଂଚାୟତରେ ସ୍ୱାବ ଟେଷ୍ଟ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତର ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀ ମାନଙ୍କ ସ୍ୱାବ ଟେଷ୍ଟ କରାଯିବା ପାଇଁ ଯୋଜନା କରାଯାଇଛି । ଏହାକୁ ଅମାନ୍ୟ କରି ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀ ମାନେ ସ୍ୱାବ ଟେଷ୍ଟ କରିବେ ନାହିଁ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯିବ ବୋଲି ବିଡ଼ିଓ ପାତ୍ର ସୂଚନା ପ୍ରଦାନ କରିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)