ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ଅଭିମନ୍ୟୁ ମହାରଣା (୦୬ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲାରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଅଂଶ ଗ୍ରହଣ କରିଥିଲେ । ଏହି କନ୍ଫରେନ୍ସିଂରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ରାୟଗଡ଼ା ସିଡିଏମ୍ଓ, ପିଡ଼ିଡ଼ିଆର୍ଡ଼ିଏ, ଉପଜିଲ୍ଲାପାଳ ଗୁଣପୁର ଉପଜିଲ୍ଲାପାଳ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୭୩ କୋଭିଡ୍ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ।
ପ୍ରତିଦିନ ଜିଲ୍ଲାରେ ୧୫୦-୨୦୦ ସ୍ୱାବ୍ ଟେଷ୍ଟ କରାଯାଉଛି । ଅଦ୍ୟାବଧି ୬୯୦ ଜଣ ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ବେଳେ ଅବଶିଷ୍ଟ ରୋଗୀ ମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଉପଯୁକ୍ତ ଚିକିତ୍ସା ପ୍ରଦାନ ଓ ଯତ୍ନ ନେବା ପାଇଁ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୧୪୧୩୦ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଅଛି ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ୧୬୦୦ ଶଯ୍ୟା ପ୍ରସ୍ତୁତ ଥିବା ବେଳେ ଆବଶ୍ୟକୀୟ ଡାକ୍ତର ନର୍ସ, ଆମ୍ବୁଲାନ୍ସ ଓ ବସ୍ ମହଜୁଦ୍ ରହିଛି । ଜିଲ୍ଲାରେ ଆଉ ଏକ ୫୦୦ ଶଯ୍ୟାବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଅଣକୋଭିଡ୍ ରୋଗୀମାନ ଙ୍କୁ ଏବଂ ଚିକତ୍ସାଳୟରେ ବହିର୍ବିଭାଗ ମାଧ୍ୟମରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ସେ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ନ ପ୍ରସବା ଗର୍ଭବତୀ ମହିଳା ମାନଙ୍କୁ ଜିଲ୍ଲା ସଦର ମହକୁମା ଓ ମା’ଘର ଆଦିକୁ ଯଥେଷ୍ଟ ପୂର୍ବରୁ ଆଣି ରଖିବା ଏବଂ ସେମାନଙ୍କୁ ତିନି ମାସ ନିମନ୍ତେ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଗାଇଡ୍ ଲାଇନ୍ର ଉପଯୁକ୍ତ ଅନୁ ପାଳନ ନିମନ୍ତେ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାକୁ ଆସିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଲେବର କାର୍ଡ ପ୍ରଦାନ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ । ଟିଏମ୍ସିରେ ଚିକିତ୍ସିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସଂ ପର୍କରେ ସମୀକ୍ଷା କରି କୋଭିଡ୍ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କ ଠାରୁ ପ୍ଲାଜ୍ମା ଦାନ ସଂପର୍କରେ ସମୀକ୍ଷା କରାଯାଇଥିଲା ବର୍ତ୍ତମାନ ସୁଦ୍ଧା ୪୦ ଜଣ ପ୍ଲାଜ୍ମା ଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ଯଥାଶୀଘ୍ର ସେମାନଙ୍କ ଠାରୁ ପ୍ଲାଜ୍ମା ସଂଗ୍ରହ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଏଥିସହିତ ଜିଲ୍ଲା ପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ସଂପୃକ୍ତଙ୍କ ସହିତ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସାରକା ରୋଗୀ ମାନଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସୁଧା ପ୍ରିୟା ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।