No Result
View All Result
୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଝାରସୁଗୁଡ଼ା :-> ଇଭିଏମ୍ ଯାଞ୍ଚ ପାଇଁ ଦୀପାଳିଙ୍କ ଆବେଦନ, ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେବେ ଭୋଟ୍ ଗଣତିରେ ବା ନିର୍ବାଚନରେ ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛି ।
ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି । ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା । ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍ ଇଭିଏମ୍ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି ।
ପ୍ରତିଟି ସେଟ୍ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି । ତେବେ ନିର୍ବାଚନ କମିସନଙ୍କଠାରୁ ମଞ୍ଜୁରି ଆସିଲେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ଏହି ୧୩ ସେଟ୍ ଇଭିଏମ୍ ଓ ଭିଭିପିଏଟିର ଯାଞ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୫୭ଟି ବୁଥ ପାଇଁ ୧୯ ରାଉଣ୍ଡରେ ଭୋଟ୍ ଗଣତି ହୋଇଥିଲା ।
ଏଥିରେ ୧୦୯ଟି ବୁଥରେ ବିଜେଡି ଆଗୁଆ ଥିବା ବେଳେ ୧୪୭ଟି ବୁଥରେ ବିଜେପି ଆଗୁଆ ରହିଥିଲା । ଗୋଟିଏ ବୁଥରେ ବିଜେଡି-ବିଜେପି ଭୋଟ୍ ହାର ସମାନ ରହିଥିଲା । ତେବେ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଅର୍ଥାତ୍ ସରବାହାଲରେ ଖୋଦ୍ ଦୀପାଳିଙ୍କ ଘର ଥିବା ବେଳେ ଏହି ୱାର୍ଡରେ ମଧ୍ୟ ବିଜେପି ୩୬୭ ଭୋଟ୍ରେ ଆଗୁଆ ରହିଥିଲା । ଯାହାକୁ ନେଇ ବିଜେଡି ସମର୍ଥକମାନେ ଇଭିଏମ୍କୁ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଏହି ଘଟଣା ପରେ ବିଜେଡି ପକ୍ଷରୁ ଇଭିଏମ୍ ଯାଞ୍ଚ ଆବେଦନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି ।
No Result
View All Result