୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଏକ ବଡ଼ଧରଣର ପରିବର୍ତ୍ତନ ଆଣିଛି । ବିଜେପି ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୧ଟି ଆସନ କବ୍ଜା କରିଥିବା ବେଳେ ଜିଲ୍ଲାର ଦୁଇଟି ଲୋକସଭା ଆସନ ମଧ୍ୟ ଦଖଲ କରିଛି । ବ୍ରହ୍ମପୁର ଲୋକସଭା ଆସନରୁ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରାୟ ୫ଲକ୍ଷ ୧୩ହଜାର ୧୦୨ ଭୋଟ୍ ପାଇଛନ୍ତି । ତାଙ୍କର ବିଜୟ ବ୍ୟବଧାନ ୧ଲକ୍ଷ ୬୫ହଜାର ୪୭୪ ରହିଛି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୩ଲକ୍ଷ ୪୭ହଜାର ୬୨୬ ଭୋଟ୍ ପାଇଛନ୍ତି । ସେହିପରି ଆସିକା ଲୋକସଭା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ୪ଲକ୍ଷ ୯୪ହଜାର ୨୨୬ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେ ୯୯ହଜାର ୯୭୪ ଭୋଟ୍ ବ୍ୟବଧାନରେ ବିଜୟଲାଭ କରିଛନ୍ତି ।
ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରଂଜିତା ସାହୁ ୩ଲକ୍ଷ ୯୪ହଜାର ୨୫୨ ଖଣ୍ଡ ଭୋଟ୍ ପାଇଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀଙ୍କ ନିମନ୍ତେ ୭ଟି ବିଧାନସଭା ନିର୍ବାଚମଣ୍ଡଳୀରେ ପୋଷ୍ଟାଲ୍ ଭୋଟ୍କୁ ମିଶାଇ ୧୦ଲକ୍ଷ ୪୨ହଜାର ୯୨୩ ଖଣ୍ଡ ଭୋଟ୍ ପଡ଼ିଛି । ତନ୍ମଧ୍ୟରୁ ୧୫ହଜାର ୯୪୨ (୧.୫୩ ପ୍ରତିଶତ) ଖଣ୍ଡ ଭୋଟ୍ ନୋଟାରେ ପଡ଼ିଛି । ମୋଟ ଭୋଟ୍ ମଧ୍ୟରୁ ବିଜେପି ପ୍ରାର୍ଥୀ ପ୍ରଦୀପ ୪୯.୨ ପ୍ରତିଶତ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଭୃଗୁ ୩୩.୩୩ ପ୍ରତିଶତ ଭୋଟ୍ ପାଇଥିବା ଭାରତ ନିର୍ବାଚନ କମିସନ୍ଙ୍କ ୱେବ୍ସାଇଟ୍ର ତଥ୍ୟରୁ ସ୍ପଷ୍ଟ ହୋଇଛି ।
ତେବେ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୮୧ହଜାର ୬୮୮ ଭୋଟ୍ ମିଳିଥିବା ବେଳେ ଗୋପାଳପୁରରୁ ୭୮ହଜାର ୯୯୯, ବ୍ରହ୍ମପୁରରୁ ୭୯ହଜାର ୮୩୮, ଦିଗପହଣ୍ଡିରୁ ୭୭ହଜାର ୯୪୭ ଓ ଚିକିଟିରୁ ପ୍ରାୟ ୫୬ହଜାର ୩୬୧(୧୮ରାଉଣ୍ଡ୍ରୁ ୧୩ ରାଉଣ୍ଡ୍ ସୁଦ୍ଧା) ଭୋଟ୍ ପାଇଛନ୍ତି । ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭାରୁ ପ୍ରଦୀପ ୫୪ହଜାର ୭୬୮ ଭୋଟ୍ ପାଇଥିବା ବେଳେ ମୋହନାରୁ ୬୫ହଜାର ୪୩୯ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ଆସିକା ଲୋକସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥୀଙ୍କ ପାଇଁ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ୍ ଭୋଟ୍କୁ ମିଶାଇ ୧୦ଲକ୍ଷ ୧୭ହଜାର ୯୧୪ଖଣ୍ଡ ଭୋଟ୍ ପଡ଼ିଛି ।
ତନ୍ମଧ୍ୟରୁ ନୋଟାରେ ୨୧ହଜାର ୯୪୧ (୨.୧୬ପ୍ରତିଶତ) ଖଣ୍ଡ ଭୋଟ୍ ପଡ଼ିଛି । ତେବେ ମୋଟ ଭୋଟ୍ ମଧ୍ୟରୁ ବିଜେପି ପ୍ରାର୍ଥୀ ଅନିତା ୪୮.୫୫ ପ୍ରତିଶତ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରଂଜିତା ୩୮.୭୩ ପ୍ରତିଶତ ଭୋଟ୍ ପାଇଛନ୍ତି । ବିଜେପି ପ୍ରାର୍ଥୀ ଅନିତାଙ୍କୁ ପୋଲସରାରୁ ୮୮ହଜାର ୫୪୯ ଭୋଟ୍ ମିଳିଥିବା ବେଳେ ଖଲ୍ଲିକୋଟରୁ ୮୧ହଜାର ୫୫, କବିସୂର୍ଯ୍ୟନଗରରୁ ୭୪ ହଜାର ୪୪୦, ହିଂଜିଳିରୁ ୬୭ହଜାର ୭୮ ଓ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ୩୪ହଜାର ୮୦୯ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡ଼ିଛି । ସେହିପରି ସୋରଡ଼ା ଓ ଆସିକାରୁ କେତେ ଭୋଟ୍ ପାଇଛନ୍ତି, ସେହି ତଥ୍ୟ ହସ୍ତଗତ ହୋଇ ନାହିଁ ।