୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ଗଢ଼ିବାକୁ ଯାଉଛି ସରକାର । ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଜାରି ରହିଛି ସସ୍ ? ପେନ୍ସ । ଦଳ ଏନେଇ କିଛି ଘୋଷଣା କରିନି । ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ କରାଯାଇଥିଲା । କିନ୍ତୁ ସେ ଏହାର କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନଥିଲେ । ତା’ବଦଳରେ ସେ କହିଥିଲେ- ଯିଏ ବି ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ଠାରୁ ଭଲ ହେବେ । ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ।
ସେ ଓଡ଼ିଆରେ କହି ପାରୁଥିବେ । ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ । ଜୟନାରାୟଣ କହିଥିଲେ, ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ । ଲୋକଙ୍କ ଭିତରେ କ୍ରୋଧ ଥିଲା । ରାଜ୍ୟରେ ଡାକ୍ତର ନାହାନ୍ତି । ଶିକ୍ଷକ ନାହାନ୍ତି । ଧାନମଣ୍ଡି ପ୍ରସଙ୍ଗ ବି ଉଠାଇଥିଲୁ । ଲୋକଙ୍କ ପାଖରେ ବିକଳ୍ପ ନଥିଲା । ଲୋକେ ବିକଳ୍ପ ଖୋଜୁଥିଲେ । ସେ କହିଥିଲେ, ରତ୍ନଭଣ୍ଡାର ଚାବି ଖୋଜି ବାହାର କରିବୁ । କୋଷ୍ଟାଲ ହାଇୱେ କରିବୁ । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ପାଣ୍ଡିଆନ ନିଖୋଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଥିଲେ- ସେ ଜେଲ୍ ଯିବେ । ତାଙ୍କୁ ପୁଲିସ ଖୋଜିବ । ନବୀନ ହିଁ ମୁଖ୍ୟ ଦୋଷୀ ।
ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ । ପାଣ୍ଡିଆନଙ୍କୁ କିଏ ନିଯୁକ୍ତି କରିଥିଲା । ନବୀନ ହିଁ ତାଙ୍କ ନିଯୁକ୍ତିଦାତା । ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଦେଇ ସେ ଖସିଯାଇ ପାରିବେ ନାହିଁ । ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ । ସୂଚନାଯୋଗ୍ୟ, ୫ମ ଥର ପାଇଁ ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଏଥର ସେ ବିଜେଡିର ରୋହିତ ପୂଜାରୀଙ୍କୁ ହରାଇଛନ୍ତି । ୪୧୦୫ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି ଜୟନାରାୟଣ । ତାଙ୍କୁ ୫୯ ହଜାର ୮୨୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରୋହିତ ପୂଚାରୀଙ୍କୁ ୫୫,୭୨୨ ଖଣ୍ଡ ଭୋଟ୍ ମିଳିଥିଲା ।