ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) କଟକ :- ଆଗାମୀ ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ହେବାକୁ ଯାଉଥିବାରୁ ଆଜି ପୁଲିସ ଡିଜି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁଲିସ ଡିଜିଙ୍କ ସମୀକ୍ଷା ସମୟରେ ଭୁବନେଶ୍ବର – କଟକ ପୁଲିସ କମିସନରେଟର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ପରେ ଡିଜି କହିଛନ୍ତି ଯେ ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି । ମ୍ୟାଚ ଦିନ ବାରବାଟୀ ଷ୍ଟାଡିୟମ ଓ ଖେଳାଳିଙ୍କ ସୁରକ୍ଷା ଲାଗି ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ସଦା ପୋଷାକରେ ପୁଲିସ କର୍ମଚାରୀ ଓ କମାଣ୍ଡୋ ମଧ୍ୟ ମୁତୟନ ହେବେ ବୋଲି ଜାଣିବାକୁ ମିଳିଛି। ଖେଳାଳିଙ୍କ ସୁରକ୍ଷା ଲାଗି ପୁଲିସ କୁକୁରଙ୍କ ଦ୍ବାରା ଷ୍ଟାଡିୟମର ବିଭିନ୍ନ ଅଂଚଳ ମଧ୍ୟ ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ଆଜି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ ଯାଇ କରିବାକୁ ଥିବା ଅଭ୍ୟାସ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି । ଆଜି ଖେଳାଳିମାନେ ହୋଟେଲରେ ଶାରୀରିକ ଅଭ୍ୟାସ କରିବା ସହ ବିଶ୍ରାମ ନେଉଛନ୍ତି । ଖେଳାଳିମାନେ ରହୁଥିବା ହୋଟେଲକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଉଭୟ ଦଳର ଖେଳାଳି ଆସନ୍ତାକାଲି ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ । ସକାଳେ ୱେଷ୍ଟଇଣ୍ଡିଜ୍ ଦଳ ଓ ଅପରାହ୍ନରେ ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସ କରିବେ ବୋଲି ଜଣାଯାଇଛି ।