No Result
View All Result
୨୫ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ରେଳ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେଉଥିବା ପରିବାରଙ୍କୁ ମିଳି ପାରୁନି କ୍ଷତିପୂରଣ। ରେଳ ପ୍ରକଳ୍ପ ପାଇଁ ଜୀବିକା ହରାଇବାକୁ ବସିଥିବା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବୁଗୁଡ଼ା କଲୋନୀର କ୍ଷତିଗ୍ରସ୍ତ ପରିବାରଙ୍କ ଦୀର୍ଘଦିନର ଦାବି, ଆନ୍ଦୋଳନ ଓ ପ୍ରତିବାଦ ପରେ ଗତ ମାର୍ଚ୍ଚ ମାସରେ ତହସିଲ ପକ୍ଷରୁ ରେକର୍ଡ଼ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରେକର୍ଡ଼ ସଂଶୋଧନ କରି ତୁରନ୍ତ ପଟା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ହେଲେ ଏହା ପରଠାରୁ ଆଉ କୈାଣସି ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରଙ୍କୁ କ୍ଷତିପୂରଣ ମିଳୁନି। ଅନ୍ୟପାର୍ଶ୍ବରେ ରେଳ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟରେ ଦେଖା ଦେଉଛି ବାଧକ । ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉଥିବା ବେଳେ ଏଭଳି ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ହେବାକୁଥିବା ପରିବାରଙ୍କୁ ଉଚିତ୍ କ୍ଷତିପୂରଣ ମିଳି ପାରୁନଥିବା ହେତୁ ବିଭିନ୍ନ ସ୍ଥାନରେ ବିରୋଧର ସ୍ବର ଉଠୁଛି।

ଯାହାକୁ ନେଇ ଠିକାସଂସ୍ଥା ମଧ୍ୟ ଉକ୍ତ ସ୍ଥାନ ମଧ୍ୟରେ ପଶି ପାରୁନି। ଏସବୁ ମଧ୍ୟରେ ଏବେ ଅସ୍ପଷ୍ଟତା ମଧ୍ୟରେ ରହିଛନ୍ତି କ୍ଷତିଗ୍ରସ୍ତ ପରିବାର । ସୂଚନା ଅନୁଯାୟୀ ବୁଗୁଡ଼ା କଲୋନୀ ଗ୍ରାମର କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାର ନିଜର ହକ୍ ଦାବିରେ ପ୍ରତିବାଦ କରିବା ସହ ଅଡ଼ି ବସିଥିଲେ। ନିଜ ନିଜ ଦଖଲରେ ଥିବା ଜମିରେ ନାଲି ପତାକା ଲଗାଇ ଚେତାବନୀ ଦେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଜସ୍ବ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରଙ୍କ ସହ ଆଲୋଚନା କରି ରେକର୍ଡ ସଂଶୋଧନ ପାଇଁ ମାପଚୁପ କରିଥିଲେ। ଗ୍ରାମର ପ୍ରାୟ ୪୩ ପରିବାରକୁ ଦୀର୍ଘ ୬୦ବର୍ଷ ହେଲା ଓଡିଶା ସରକାରଙ୍କ ଆଦିବାସୀ ଗ୍ରାମମଙ୍ଗଳ ବିଭାଗ ପକ୍ଷରୁ ଏଠାରେ ଚାଷ ଜମି ଯୋଗାଇ ଦିଆଯାଇଛି । ଏସବୁ ପରିବାର ବର୍ଷର ବିଭିନ୍ନ ଋତୁରେ ନାନା ଚାଷବାସ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ହେଲେ ଏସବୁ ଜମି ସରକାରୀ ହୋଇଥିବା ଦର୍ଶାଇ କ୍ଷତିଗ୍ରସ୍ତ ପରିବାରଙ୍କୁ କୈାଣସି କ୍ଷତିପୂରଣ ପ୍ରଦାନ କରାନଯାଇ ରେଳ ଲାଇନ ନେବାକୁ ସ୍ଥିର ହୋଇଥିଲା ।

ଯାହାର ପ୍ରତିବାଦରେ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ବ୍ଲକସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି କୈାଣସି ଗୁରୁତ୍ବ ଦିଆଯାଇନଥିଲା । ଯେନତେନ କରି କ୍ଷତିଗ୍ରସ୍ତ ପରିବାରକୁ ଭୟଭୀତ କରାଇ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ ଶଡ଼ଯନ୍ତ୍ର ହୋଇଥିଲା । ଶେଷରେ କ୍ଷତିଗ୍ରସ୍ତ ପରିବାର ଏହାର ତିବ୍ର ପ୍ରତିବାଦ କରି ଧାରଣା ଦେଇଥିଲେ। କ୍ଷତିଗ୍ରସ୍ତ ହେବାକୁ ଥିବା ଜମିରେ ନାଲି ପତାକା ଲଗାଇ ପ୍ରଶାସନକୁ କଡ଼ା ଚେତାବନୀ ଦେଇଥିଲେ। ଶେଷରେ ପ୍ରଶାସନ କ୍ଷତିଗ୍ରସ୍ତ ହେବାକୁ ଥିବା ପରିବାରଙ୍କ ରେକର୍ଡ଼ ସଂଶୋଧନ କରି ପଟା ଯୋଗାଇ ଦେବାକୁ ମାପଚୁପ କରିଥିବା ବେଳେ ଏଯାଏଁ କୈାଣସି ସ୍ପଷ୍ଟ ଚିତ୍ର ବା ପଟା ମିଳି ପାରୁନଥିବା ଗ୍ରାମର ପୂର୍ବତନ ସଭାପତି ପ୍ରମୋଦ କୁମାର ଜାନୀ କହିଛନ୍ତି। ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦାବି ହୋଇଛି।

No Result
View All Result