ଓଡିଶା ତାଜା ନ୍ୟୁଜ୍ (୦୫ ଅଗଷ୍ଟ ବୁଧବାର) ଭୁବନେଶ୍ୱର :- ଗତ ମାସ ଜୁଲାଇ ୨୯ ତାରିଖ ବୁଧବାର ଦିନ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି -୨୦୨୦ ଘୋଷଣା କରିଛନ୍ତି । ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ଘୋଷିତ ଶିକ୍ଷା ନୀତି ସମ୍ପର୍କରେ ବ୍ୟାପକ ଆଲୋଚନା ଓ ପର୍ୟ୍ୟାଲୋଚନା ର ଆବଶ୍ୟକତା ଅନୁଭବ କରି ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ ବିଭିନ୍ନ କାର୍ୟ୍ୟକ୍ରମ ର ଯୋଜନା କରିଛି । ଓଡ଼ିଶାର ଭୌଗଳିକ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ର ଛାତ୍ରଛାତ୍ରୀଙ୍କ ଅନୁପାତକୁ ଦୃଷ୍ଟିରେ ରଖି ସବୁ ବର୍ଗର ସତ୍ଵାଧିକାରୀ ମାନଙ୍କ ସହିତ ପରାମର୍ଶ ଓ ଆଲୋଚନା କରିବା ପାଇଁ ଆସନ୍ତା ୮ ଓ ୧୬ ତାରିଖ ଦୁଇ ଦିନ ଧରି ୪ ଗୋଟି କର୍ମଶାଳା ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନା କଟକଣା ଯୋଗୁଁ ଏହି ପରାମର୍ଶ ଓ ଆଲୋଚନା ସଭା ୱେବିନାର ମାଧ୍ୟମରେ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ଏହି କର୍ମଶାଳାରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ସଂଗଠନ, ଶିକ୍ଷାବିତ୍, ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆମନ୍ତ୍ରଣ କରାଯାଇ ନୂତନ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରାଯିବ ।
ଅଗଷ୍ଟ ୮ ତାରିଖ ଦିନ ଦୁଇଟି ଓ ଅଗଷ୍ଟ ୧୬ ତାରିଖ ଦିନ ଦୁଇଟି କର୍ମଶାଳା ଅନୁଷ୍ଠିତ ହେବ । ପ୍ରଥମ କର୍ମଶାଳା ପୂର୍ବାହ୍ନ ୧୧ ଘଟିକାରୁ ମଧ୍ୟାହ୍ନ ୧ ଘଟିକା ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ କର୍ମଶାଳା ଅପରାହ୍ନ ୩ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ୱେବିନାର ଗୁଡିକୁ ବିଜୁ ଜନତା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ , ସାଧାରଣ ସମ୍ପାଦକ ରୋହିତ ପୂଜାରୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଏବଂ ସାରଦା ପ୍ରସାଦ ଜେନା ପ୍ରମୁଖ ସଂଯୋଜନା କରିବେ ବୋଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।