ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲା ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାକୁ ପ୍ରତିହିତ କରିବା ଲକ୍ଷ୍ୟରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହୀନି ସହାୟତାରେ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ସାନିଟାଇଜ କରାଯାଉଥିବା ବେଳେ ଏଠାରେ ସାନିଟାଇଜ ବ୍ୟବସ୍ଥା ଏକ ପ୍ରକାର ପ୍ରହସନ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । କିଛି ଦିନ ଧରି କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ସହରାଂଚଳକୁ ସାନିଟାଇଜ କରାଯାଉନାହିଁ । ପୌର ପ୍ରଶାସନ ପକ୍ଷରୁ କେବଳ ଡ଼ାକବାଜି ଯନ୍ତ୍ର ସହାୟତାରେ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯିବା ସହ କରୋନା କଟକଣା ସମ୍ପର୍କରେ ବାରମ୍ବାର ଅବଗତ କରାଯାଉଥିବାର ଦେଖିବାକୁ ମିଳୁଛି ।
ସ୍ଥାନୀୟ ପୌରାଂଚଳର ମୁଖ୍ୟ ରାସ୍ତା ସମେତ ସରକାରୀ କାର୍ଯ୍ୟାଳୟ ଓ କିଛି ୱାର୍ଡ଼କୁ ବାଦ ଦେଲେ ଯେଉଁ ସାହିବସ୍ତିରୁ ସଂକ୍ରମିତି ଚିହ୍ନଟ ହେଉଛନ୍ତି, ବାସ୍ତବ କ୍ଷେତ୍ରରେ ସହି ଅଂଚଳ ଗୁଡ଼ିକରେ ଠିକ୍ ଭାବେ ବିଶୋଧନ କରାଯାଉନଥିବା ଅଭିଯୋଗ ହୋଇଛି । କେବଳ ଲୋକ ଦେଖାଣିଆ ବ୍ଳିଚିଂ ସିଂଚନରେ କାମ ଚଳାଯାଉଥିବା ନେଇ ଅଂଚଳର ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି । ସଂକ୍ରମିତ ପରିବାରର ଘରକୁ ବିଶୋଧନ କରାଯାଉନଥିବା ଜଣାପଡ଼ିଛି । ସେହିପରି କିଛି ସଂକ୍ରମିତ ବ୍ୟକ୍ତି ଘରୋଇ ସଙ୍ଗରୋଧ କେନ୍ଦ୍ରରେ ରହିବା ସକାଶେ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସେମାନେ ବାହାରେ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳୁଛି । ଏ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତର ଦେଇନଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । (ରିପୋର୍ଟ -ଶେଷଦେବ ସାହୁ )