୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜନୀତିର ବିଚିତ୍ର ଗିରି ବ୍ରହ୍ମଗିରି । ଦୀର୍ଘ ୨୦ବର୍ଷ ଧରି ୱାନ ଟୁ ୱାନ ଲଢେଇ ବ୍ରହ୍ମଗିରିର ଭୋଟର ଅଙ୍ଗେ ଲିଭେଇଛନ୍ତି । ଯେତେବେଳେ କଣାସ ବ୍ଲକ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଥିଲା ସେତେବେଳେ ବ୍ରଜକିଶୋର ତ୍ରିପାଠୀ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ପ୍ରାର୍ଥୀ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଦଳ ବଦଳ ପରି ପ୍ରାର୍ଥୀ ବଦଳ କରାଯାଇ ଓଲଟ ପାଲଟ ସ୍ଥିତି ମନୁଷ୍ୟକୃତ ଭାବେ କରାଯାଇଛି । ବ୍ରହ୍ମଗିରି ବଜାରରେ ଭୋଟର ଆଲୋଚନା କରୁଛନ୍ତି ସଞ୍ଜୟ କାହିଁକି ବ୍ରହ୍ମଗିରି ଛାଡି ଶଶୁରଘର ନିର୍ବାଚନ ମଣ୍ଡଳୀ ସତ୍ଯବାଦୀକୁ ବାଛିଲେ । ଏହି ଯୋଜନା ଦୁଇବର୍ଷ ତଳୁ ଆରମ୍ଭ ହୋଇଥିଲା ବୋଲି ଶୁଣାଯାଇଛି । ଅନ୍ୟପକ୍ଷରେ ଲୁଲୁ ମହାପାତ୍ରଙ୍କ ଗଡ ଭାବେ ବ୍ରହ୍ମଗିରି ରାଜ୍ଯରେ ଚର୍ଚ୍ଚିତ ହୋଇଥିଲା । ଲୁଲୁଙ୍କ ଏକମାତ୍ର କନ୍ଯା ଉପାସନା ଏବେ ସେହି ଧାରାକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଗାଁ ଗାଁରେ ଲୋକମାନେ ଉପାସନାକୁ ଦେଖି ଲୁଲୁଙ୍କ କଥା ମନେ ପକାଉଛନ୍ତି । ୨୦୧୪ ନିର୍ବାଚନରେ ଲୁଲୁ କାଳେ ଜିତି ଯିବେ ସେଥିପାଇଁ ବହୁ କାରସାଦି କରି ସଞ୍ଜୟ ଜିତି ଯାଇଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା ।ପରେ ଲୁଲୁ ନିର୍ବାଚନୀ ମାମଲା ଦାୟର କରିଥିଲେ । ଲୁଲୁଙ୍କ ସ୍ବପ୍ନ ଅଧାରେ ରହିଥିବା ବେଳେ ତାଙ୍କ କନ୍ଯା ପୂରଣ କରିବା ପାଇଁ ଦିନ ରାତି ଏକ କରିଛନ୍ତି । ଉପାସନାଙ୍କ ନାମାଙ୍କନପତ୍ର ଦାଖଲ ଦିନ ଅଭୂତପୂର୍ବ ସମାବେଶ ଦେଖିବାକୁ ମିଳିଥିଲା । ପାରିକୁଦର ହଜାର ହଜାର ଲୋକ ସେଦିନ ଜହ୍ନିକୁଦା ଘାଟରେ ଠିଆ ହେବା ପରେ ଶହ ଶହ ଡଙ୍ଗା ଯୋଗେ ସାତପଡା ଘାଟକୁ ଆସି ଗଡରୋଡଙ୍ଗ ଠାରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନ୍ଯପକ୍ଷରେ ଉମା ପଡୋଶୀ ନିର୍ବାଚନ ମଣ୍ଡଳୀ ସତ୍ଯବାଦୀରୁ ଆମଦାନୀ ହୋଇ ବ୍ରହ୍ମଗିରି ଆସିଛନ୍ତି ବୋଲି ବ୍ରହ୍ମଗିରି ବଜାରରେ ଆଲୋଚନା ହେଉଛି । ବ୍ରହ୍ମଗିରି କୌଣସି ଗାଁ ସହ ଉମାଙ୍କ ସମ୍ପର୍କ ନଥିବା କୁହାଯାଉଛି । ଉମାଙ୍କୁ ବ୍ରହ୍ମଗିରି ପଠେଇବା ପଛରେ କହାର ହାତ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି । ବ୍ରହ୍ମଗିରି ଭୋଟରଙ୍କୁ ଚିହ୍ନିବା ମୁଶୁକିଲ ହୋଇପଡିଥିବା ବେଳେ ଉମା ଭୋଟରଙ୍କୁ ଚିହ୍ନବା ପାଇଁ ଆହୁରି ଦଶ ବର୍ଷ ଲାଗିବ ବୋଲି ସୁନାମୁହିଁ ଛକରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ଅନ୍ଯପକ୍ଷରେ ବ୍ରହ୍ମଗିରି ନିର୍ବାଚନର ଗୃହ ଭେଦି ଚାଣକ୍ୟ କୈଳାସଙ୍କୁ ହାତେଇବାରେ ଉମା ବିକଳ ହୋଇଛନ୍ତି । ଅନ୍ଯପକ୍ଷରେ ପିନାକୀଙ୍କ ସମର୍ଥକ ତୀକ୍ଷ୍ନ ଦୃଷ୍ଟିରେ ପରଖୁଛନ୍ତି ।
ଦଳୀୟ ଅର୍ନ୍ତଦ୍ବନ୍ଦ ଆର୍ନ୍ତଘାତି ପାଲଟିବା ସହ ଅଣ୍ଡର କରେଣ୍ଟ ପ୍ରଭାବ ପଡିପାରେ ବୋଲି ବ୍ରହ୍ମଗିରିର ନିର୍ବାଚନୀ ସମୀକ୍ଷକ ମାନେ ଆଲୋଚନା କରୁଛନ୍ତି । ଦଳବଦଳ ପ୍ରାର୍ଥୀ ବଦଳ ପରେ ଭୋଟର ଏବେ ଦ୍ବନ୍ଦରେ ପଡିଥିବା ଦେଖାଦେଇଛି । ନୂଆ ଲୋକଙ୍କୁ ଧରି ଉମା ପ୍ରଚାର ଚଳେଇଥିବା ବେଳେ ଉପାସନାଙ୍କୁ ପ୍ରତି ଗାଁରେ ଭୋଟର ଆର୍ଶୀବାଦ କରୁଛନ୍ତି । କିଛି ଗୃହ ଭେଦି ବିଭୀଷଣ ନେତା ଉମାଙ୍କୁ ସମର୍ଥନ କରି ମିଛି ମିଛିକା ଅଭିନୟ କରି ଉମାଙ୍କୁ ସହଯୋଗ କରୁଥିବା ଗାଁ ଗାଁରେ ଟୁପୁରୁଟାପର ହେଉଛନ୍ତି । ଯେଉଁ ନେତାମାନେ କୈଳାସଙ୍କୁ ବିରୋଧ କରୁଥିଲେ ସେମାନେ ଏବେ ଉମାଙ୍କୁ ସହଯୋଗ କରୁଛନ୍ତି । ସଞ୍ଜୟଙ୍କ ଶତ୍ରୁ ଏବେ ଉମାଙ୍କ ସାରଥୀ ପାଲଟିଛନ୍ତି । ପୁରୀ ବଳିଆପଣ୍ଡା ଏକ ହୋଟେଲରେ ଉମା ଦରବାର ଖୋଲି ସକାଳୁ ବିଭିନ୍ନ ଗ୍ରାମାଞ୍ଚଳର ମୁଖିଆଙ୍କୁ ଡକାଇ ସନ୍ତୁଷ୍ଟ କଥାବାର୍ତ୍ତ କରି ଅପରାହ୍ନରେ ସେହି ସ୍ଥାନକୁ ପ୍ରଚାରରେ ଯାଉଥିବା ଚର୍ଚ୍ଚା ହେଉଛି । ନବୀନ (ନୂଆ) ପ୍ରାର୍ଥୀ ଭାବେ ଉପାସନା ନିର୍ବାଚନୀ ମଇଦାନରେ ଉଭା ହୋଇଥିବା ବେଳେ ପ୍ରବୀଣ(ପୁରୁଣା) ପ୍ରାର୍ଥୀ ଭାବେ ଉମା ଅବତୀର୍ଣ୍ଣ ହୋଇଛନ୍ତି । ନିର୍ବାଚନ ସମୟରେ ଭୋଟର ହେଉଛନ୍ତି ଭଗବାନ ସଦୃଶ । କେଉଁ ପ୍ରାର୍ଥୀଙ୍କୁ ଅଧିକ ଆର୍ଶୀବାଦ ଓ ସମର୍ଥକ ମିଳିବ ତାହା କେବଳ ସମୟ କହିବ ବୋଲି ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ୧୧ ପଞ୍ଚାୟତରେ ଆଲୋଚନା ହେଉଛି ।