ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଇଛି । ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏହାର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସଚେତନତା ସୃଷ୍ଟି କରିବା ସହ ବହୁ କଟକଣା ଲାଗୁ କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସଟଡ଼ାଊନ, ଲକଡ଼ାଉନ ଲଙ୍କଜ୍ଞର କରାଯିବା ସହ ପ୍ରତିହିତ କରିବା ଲକ୍ଷ୍ୟରେ ଥର୍ମାଲ ସ୍କ୍ରିନିଂ, ଆଂଟିଜେନ ଓ ସ୍ୱାବ ଟେଷ୍ଟ କରାଯିବା ସହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଂଚାୟତ ସ୍ତରରେ କୋଭିଡ଼ ମନିଟରିଂ କମିଟି ଗଠନ କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳ ବୁଲି ସମୀକ୍ଷା କରାଯାଉଥିବାର ଦେଖିବାକୁ ମିଳିଛି । ରବିବାର ହିଞ୍ଜିଳିକାଟୁ ବ୍ଳକର ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ହିଞ୍ଜିଳି ଥାନାର ପୁଣି ୮ କର୍ମଚାରୀ ପଜିଟିଭ ଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ଓ ପୌର ପ୍ରଶାସନ ର ମିଳିତ ସହଯୋଗରେ ସ୍ଥାନୀୟ ପୌରାଂଚଳ ହୋଲସେଲ ପରିବା ବଜାରରୁ ସୋମବାର ୪୬ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ସକାଶେ ପଠାଯାଇଛି । କରୋନାକୁ ମାତ୍ ଦେବା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରିନଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ଏକମାତ୍ର ପନ୍ଥା ବୋଲି କୁହାଯାଇଛି । ସ୍ଥାନୀୟ ପୌରାଂଚଳରେ କୋଭିଡ଼ କଟକଣା କିଭଳି କାର୍ଯ୍ୟକାରୀ କରାଯାଉଛି ସେ ନେଇ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ତଦାରଖ କରାଯାଇ ଅବମାନନା କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି ।
ବାସ୍ତବ କ୍ଷେତ୍ରରେ ଗ୍ରାମାଂଚଳରେ କଟକଣା କିଭଳି କାର୍ଯ୍ୟକାରୀ କରାଯାଉଛି ସେ ନେଇ କୌଣସି ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉନାହିଁ । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା କଟକଣା କାର୍ଯ୍ୟକାରୀ ହେଉନଥିବା ନେଇ ଦୈନିକି ‘ପ୍ରଗତିବାଦୀ’ରେ ଖବର ପ୍ରକାଶନ ପରେ ପ୍ରଶାସନର ଚେତା ପଶିଛି । ସେମାବାର ହିଞ୍ଜିଳିକାଟୁ ରାଜସ୍ୱ କର୍ମଚାରୀ ମାନେ ସ୍ଥାନୀୟ ବ୍ଳକର ମକରଝୋଳ, ବଡ଼ଖଣ୍ଡି ପଂଚାୟତ ବୁଲି କରୋନା କଟକଣା କିଭଳି କାର୍ଯ୍ୟକାରୀ କରାଯାଉଛି ତାହାର ତଦାରଖ କରିଥିଲେ । ମକରଝୋଳ ପଂଚାୟତରେ ଗୋଟିଏ ଗୋଷ୍ଟୀ ଜୁଆ ଖେଳରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ନାଲିବତୀ ଗାଡ଼ିକୁ ଦେଇ ଜୁଆଡ଼ି ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ବଡ଼ଖଣ୍ଡି ପଂଚାୟତରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷାକୁ ବହୁ ଲୋକେ ଗୁରୁତ୍ୱ ପ୍ରଦାନ କରୁନଥିବାର ଦେଖିବାକୁ ମିଳିଥିଲା । ରାଜସ୍ୱ କର୍ମଚାରୀ ମାନେ ସଂପୃକ୍ତ ପଂଚାୟତର ଜିଲ୍ଲାପାଳ ଓ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ସହ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ଗ୍ରାମବାସୀଙ୍କୁ ସଚେତନ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ତହସିଲଦାର ସୁନିଳ କୁମାର ପ୍ରଧାନଙ୍କ ନେତତ୍ୱରେ ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ପ୍ରମୋଦ କୁମାର ପାଢି, ନାଲୁ ଶବର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ( ରିପୋର୍ଟ – ଶେଷଦେବ ସାହୁ )