No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆମ ଦେଶରେ ଆୟାରାମ ବା ଗୟାରାମ ନେତା ବା ଦଳଡିଆଁ ନେତାଙ୍କ ସଂଖ୍ୟା ବଢିଥାଏ । ଯେଉଁମାନଙ୍କୁ ଦେଶୀ ଭାଷାରେ ସୁବିଧାବାଦୀ, ସ୍ୱାର୍ଥନ୍ୱେଷୀ ନେତା କୁହାଯାଇଥାଏ । ଏବେ ଆମ ଦେଶରେ ସାଧାରଣ ନିର୍ବାଚନ ସହ ଚାରୋଟି ରାଜ୍ୟ ତଥା ଓଡିଶା, ଆନ୍ଧ୍ର, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଚୟନ ବା ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି । ଦଳୀୟ ପ୍ରାର୍ଥୀତ୍ୱରୁ ବଂଚିତ ନେତାଙ୍କ ଦଳଡିଆଁ ପର୍ବ ଏବେ ଆରମ୍ଭ ହୋଇଯାଇଥିବା ବେଳେ ଦଳ ବଦଳକାରୀ ବା ଦଳଡିଆଁ ନେତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ । ଆୟୋଜନ ଏକ ସାଧାରଣ ଘଟଣା ହୋଇଛି ।
ତେବେ ଦଳତ୍ୟାଗୀ ବା ଦଳବଦଳକାରୀ ନେତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ କୌଣସି ରାଜନୈତିକ ଦଳ ଜାତୀୟ ହେଉ ବା ଆଂଚଳିକ ହୁଅନ୍ତୁ, କେହି କୁଣ୍ଠିତ ନୁହଁନ୍ତି । ଦଳବଦଳକାରୀ ନେତାମାନଙ୍କୁ ନେଇ ରାଜନୈତିକ ଦଳଗୁଡିକ ନିଜକୁ ଗୌରବାନ୍ୱିତ ମନେ କରନ୍ତି । ସେମାନଙ୍କ ଯୋଗଦାନ ଦ୍ୱାରା ଦଳର ଶକ୍ତି ବୃଦ୍ଧି ହେବା ସହ ଭୋଟ ହାର ବୃଦ୍ଧି ପାଇବା ମନେକରନ୍ତି । ଏପରିକି ଦଳବଦଳକାରୀ ନେତାଙ୍କୁ ବହୁ ରାଜନୈତିକ ଦଳ ଅଗ୍ରାଧିକାର ଦେଇ ପ୍ରାର୍ଥୀ କରିବା ବହୁ ନଜୀର ରହିଛି । ବର୍ଷ ବର୍ଷ ଧରି ଦଳର ନୀତି ଆଦର୍ଶକୁ ପାଥେୟ କରି ଦଳର ସଂଗଠନକୁ ମଜଭୂତ କରି ଦଳୀୟ ଟିକେଟ ପାଇଁ ଆଶାୟୀ ଥିବା ନେତା ଶେଷରେ ଦଳଡିଆଁ ନେତାଙ୍କ ପାଇଁ ପ୍ରାର୍ଥୀତ୍ୱରୁ ବଂଚିତ ହୋଇଥାନ୍ତି । ଏହା ଏକ ସ୍ୱାଭାବିକ ପ୍ରକ୍ରୀୟା ବୋଲି ନିସନ୍ଦେହ କୁହାଯାଇପାରେ । ଟିକେଟ ନପାଇବା ଆଶଙ୍କାରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନର ଅବବ୍ୟହିତ ପୂର୍ବରୁ ବହୁ ସିଟିଂ ସାଂସଦ, ବିଧାୟକଙ୍କ ସମେତ ବରିଷ୍ଠ ନେତା ଦଳଡିଆଁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।
ଅବଶ୍ୟ ଆମ ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବାଦ୍ ନୁହଁନ୍ତି । ଉଲ୍ଳେଖଯୋଗ୍ୟ ଯେ, ନିକଟରେ କଟକର ଛଅ ଥରର ସାଂସଦ ଭର୍ତୁହରି ମହତାବ ବିଜେଡି ଛାଡି ବିଜେପିର ଯୋଗଦେଇଛନ୍ତି । ବିଜେପି ତାଙ୍କୁ କଟକ ଲୋକସଭା ଆସନରୁ ପୁନର୍ବାର ପ୍ରାର୍ଥୀ କରିଛି । କେବଳ ଭର୍ତୁହରି ନୁହଁନ୍ତି, ନିକଟରେ ବର୍ତମାନର ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ସମେତ ବିଜେଡିର କେତେକ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ଅହିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଚିରଂଜୀବୀ ବିଶ୍ୱାଳ ପ୍ରମୁଖ ବିଜେଡିରେ ଯୋଗଦେଇଥିବାବେଳେ କେତେକ ବିଜେଡି ନେତା ତଥା ପୂର୍ବତନ ବିଧାୟକ, ବିଜେପି ନେତା କଂଗ୍ରେସରେ ଯୋଗଦେଇଛନ୍ତି । ଦଳଡିଆଁ ନେତାଙ୍କ ଦଳଡିଆଁ ଆଗାମୀ ନିର୍ବାଚନରେ କି ପ୍ରଭାବ ପକାଇବ, ତାହା ନିର୍ବାଚନ ଫଳାଫଳ ହିଁ କହିବ । କିନ୍ତୁ ଏହା ନିସନ୍ଦେହ ଯେ, ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସମସ୍ତଙ୍କ ଆଗରେ ରହିଛି । ଯାହାକି ବିଜେପିର ଏକ ନିର୍ବାଚନ ରଣନୀତି ବୋଲି କୁହାଯାଇପାରେ ।
କାରଣ ଦଳଡିଆଁ ନେତାମାନଙ୍କ ପାଇଁ ବିଜେପି ଏବେ ମଉକା ପାଲଟିଛି । ସେମାନଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଓ ଅନ୍ୟ ଅପରାଧ ମାଫ୍ ପାଇଁ ବିଜେପି ଏବେ ନିରାପଦ ସ୍ଥାନ ପାଲଟିଛି ବୋଲି କହିଲେ ବୋଧହୁଏ ଏଥିରେ କେହି ଦ୍ୱିମତ ହେବେ ନାହିଁ । ସେହିପରି ଦଳବଦଳକୁ ଉତ୍ସାହିତ କରିବା ତଥା ଅନ୍ୟଦଳରୁ ନେତା ଆମଦାନୀ କରି ସେମାନଙ୍କୁ ଦୁର୍ବଳ କରିଦେବା ଲକ୍ଷ୍ୟରେ ବିଜେପି ଏକ କମିଟି ଗଠନ କରିଥିବା କୁହାଯାଏ । ଯେଉଁ କମିଟିରେ ଅନୁରାଜ ଠାକୁର, ରବି ଶଙ୍କର ପ୍ରସାଦ, ରାଜୀବ ଚନ୍ଦ୍ରଶେଖରଙ୍କ ପରି ଦଳୀ ପରିଷ୍ଠ ନେତା ସଦସ୍ୟ ଅଛନ୍ତି । ବିଜେପିରେ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି, ବିଜେଡି, ଏନସିପି, ଶିବସେନା, ଭାରତ ସଂଘର୍ଷ ସମିତି, ଟିଏମସି, ଜେଡିୟୁ, ଆରଜେଡି, ଏଆଇଏଡିଏମକେ, ବାମପନ୍ଥୀ ଦଳ ପରି ଜାତୀୟ ଏବଂ ଅଂଚଳ ଦଳର ୮୦ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ଗତ ୧୦ବର୍ଷରେ ଯୋଗ ଦେଇଥିବା ଏକ ରିପୋର୍ଟ କହେ ।
No Result
View All Result