ବେଗୁନିଆରେ ସର୍ବୋଦୟ କର୍ମୀ ବିନୋଦ ମହାନ୍ତିଙ୍କ ସ୍ମୃତି ସଭା

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :->  ବେଗୁନିଆ ଗାନ୍ଧୀ ସ୍ମୃତି ସଂସଦ ପକ୍ଷରୁ ଗାନ୍ଧିବାଦୀ ତଥା ବିଶିଷ୍ଟ ସର୍ବୋଦୟ କର୍ମୀ ବିନୋଦ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଆଦର୍ଶ କ୍ଲବ ପରିସରରେ ଅନୁଷ୍ଠିତ ଶୋକ ସଭାରେ ସଂସଦର ଉପ ସଭାପତି ସୁଧାକର  ସାମନ୍ତରାୟ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ ମଙ୍ଗଳା ଚରଣ ପାଠ କରିଥିଲେ । ପରେ ସ୍ବର୍ଗତ ମହାନ୍ତିଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା କୁସୁମ ଅର୍ପଣ କରାଯାଇଥିଲା ।

ଦିବଂଗତଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ପରେ କାର୍ଯ୍ୟକ୍ରମ ଆବାହକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ବର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ । ସ୍ବର୍ଗତ ମହାନ୍ତି ବିନୋବା ଭାବେଙ୍କ ପଟ୍ଟଶିଷ୍ୟ, ଜୟପ୍ରକାଶ ନାରାୟଣଙ୍କ ବ୍ୟକ୍ତିଗତ ସଚିବ ଓ ପୂର୍ଵତନ ମୁଖ୍ୟମନ୍ତୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ସହଧର୍ମିଣୀ ମାଳତୀ ଚୌଧୁରୀଙ୍କ ଏକାନ୍ତ ଅନୁଗାମୀ ଥିଲେ  । ବେଗୁନିଆରେ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ତାଙ୍କର ପ୍ରେରଣା ଓ ପରାମର୍ଶ ଗାନ୍ଧୀପ୍ରେମୀ ମାନଙ୍କୁ ଗଭୀର ଭାବେ ଉତ୍ସାହିତ କରିଥିଲା ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।

ସୁଶ୍ରୀ ସଂଘମିତ୍ରା ରଥ , ଶିକ୍ଷାବିତ ଶରତ କୁମାର ପଣ୍ଡା ,ପ୍ରଶାନ୍ତ କୁମାର ବାରିକ ଅଶ୍ବିନୀ କୁମାର ପଟ୍ଟନାୟକ , ବିଜୟ କୁମାର ମହାନ୍ତି, ରାମଚନ୍ଦ୍ର ସାହୁ, କାଳୁଚରଣ ନାୟକ,  ରାମଚନ୍ଦ୍ର ବିଶ୍ୱାଳ ଓ ବସନ୍ତ କୁମାର ରଣସିଂହ ପ୍ରମୁଖ ସ୍ମୃତି ଚାରଣରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି , ଗତକାଲି  ଗୁରୁବାର ଅପରାହ୍ନରେ ସ୍ବର୍ଗତ ମହାନ୍ତିଙ୍କ ୮୨ ବର୍ଷ ବୟସରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ବରପଦା ଗ୍ରାମରେ ପରଲୋକ ଘଟିଥିଲା ।