ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର ନୟାଗଡ଼ରେ : ହସୁଛି ବିଜେଡି କାନ୍ଦୁଛି ବିଜେପି, ଚିନ୍ତାରେ ବସିଚି କଂଗ୍ରେସ

୨୦୨୪ରେ ବି ନୟାଗଡ଼ରେ ପଞ୍ଚମଥର ପାଇଁ ବିଜୟର ପୁନରାବୃତ୍ତି ଲକ୍ଷ୍ୟରେ ଅଛନ୍ତି ଅରୁଣ

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିଜେଡିର ଗଡ଼ ରହି ଆସିଛି ଏହି ଆସନ । ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି କିଛି ଚମତ୍କାର କରିବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ଚଳିତ ନିର୍ବାଚନରେ ବିଜେଡି ନୟାଗଡ଼ରୁ ଡକ୍ଟର ଅରୁଣ ସାହୁଙ୍କୁ ପୁଣି ପ୍ରାର୍ଥୀ କରିଛି । ସେହିପରି ବିଜେପି ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମଇଦାନରେ ଓହ୍ଲାଇଛି । ଅନ୍ୟପଟେ ରଞ୍ଜିତ ଦାଶଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସ୍ଥାନୀୟ ଅଞ୍ଚଳରେ ଅରୁଣଙ୍କ ଦବଦବା ରହିଥିଲେ ମଧ୍ୟ ପ୍ରତ୍ୟୁଷାଙ୍କ ଲୋକପ୍ରିୟତା କିଛି କମ ନୁହେଁ ବୋଲି ମତ ପ୍ରକାଶ ପାଉଛି ।

ନୟାଗଡ଼ରେ ଅରୁଣଙ୍କ ରେକର୍ଡ :-> ଛାତ୍ର ରାଜନୀତିରୁ ରାଜ୍ୟ ରାଜନୀତିକୁ ଆସିଛନ୍ତି ଅରୁଣ । ନିର୍ବାଚନ ଅଙ୍କକଷାରେ ପ୍ରବୀଣ ଅରୁଣ ବିଧାନସଭା ନିର୍ବାଚନରେ କେବେ ବି ପରାଜୟର ସ୍ଵାଦ ଚାଖି ନାହାନ୍ତି । ଏଠାରୁ ଏକାଧିକ ବାର ନିର୍ବାଚିତ ହୋଇ ସେ ମନ୍ତ୍ରୀ ବି ହୋଇଛନ୍ତି । ବିଜେଡି ଏଥର ମଧ୍ୟ ତାଙ୍କୁ ଭରସା କରିଛି । ସେ ନୟାଗଡ଼ରୁ ୨୦୦୪ରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୯ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ତଥା ବରିଷ୍ଠ ନେତା ହେମେନ୍ଦ୍ର ସିଂହଙ୍କୁ ହରାଇଥିଲେ ଅରୁଣ । ୨୦୧୪ରେ ସେ କଂଗ୍ରେସ ପ୍ରାର୍ଥୀ ଲାଲା ମନୋଜ ରାୟଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ବିଜେପିର ଇରାନୀ ରାୟଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅରୁଣ । ୨୦୨୪ରେ ବି ନୟାଗଡ଼ରେ ପଞ୍ଚମଥର ପାଇଁ ବିଜୟର ପୁନରାବୃତ୍ତି ଲକ୍ଷ୍ୟରେ ଅଛନ୍ତି ଅରୁଣ ।

ଚମତ୍କାରିତା ଆଶାରେ ପ୍ରତ୍ୟୁଷା :- ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ । ତାଙ୍କ ସ୍ଵାମୀ ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜେଡି ଟିକଟରେ କନ୍ଧମାଳ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ । ସ୍ଵାମୀଙ୍କ ବିୟୋଗ ପରେ ପ୍ରତ୍ୟୁଷା ମଧ୍ୟ କନ୍ଧମାଳ ଲୋକସଭା ଆସନରୁ ଉପ ନିର୍ବାଚନରେ ଜିତିଥିଲେ । ରାଜନୀତି ଓ ନିର୍ବାଚନ ପରିଚାଳନାରେ ପ୍ରତ୍ୟୁଷା ନୂଆ ନୁହନ୍ତି । କେନ୍ଦ୍ରରେ ମୋଦୀଙ୍କ ଲହର ଏବେ ବି ପ୍ରଭାବଶାଳୀ ଥିବାରୁ ପ୍ରତ୍ୟୁଷା କିଛି ଚମତ୍କାର କରିବା ଆଶାରେ ଅଛନ୍ତି ।

୨୦୧୯ ବନାମ ୨୦୨୪ :-> ୨୦୧୯ରେ ନୟାଗଡ଼ରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ପୂର୍ବ ନିର୍ବାଚନ ତୁଳନାରେ ଦଳ ୩୮ ପ୍ରତିଶତ ଅଧିକ ଭୋଟ ପାଇଥିଲା । ବିଜେପି ପ୍ରାର୍ଥୀ ଇରାନୀ ୪୩ ପ୍ରତିଶତ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ୫୨ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ଅରୁଣ । ନୟାଗଡ଼ରେ ଚଳିତ ନିର୍ବାଚନରେ ବିଜେପି ଭଲ କରିବ ବୋଲି ବିଭିନ୍ନ ସର୍ଭେ କରୁଥିବା ବିଭିନ୍ନ ଜାତୀୟସ୍ତରର ସଂସ୍ଥା ଆକଳନ କରୁଥିବାବେଳେ ଦଳ ପାଇଁ ଏହି ଲଢ଼େଇ ସହଜ ହେବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଭୋଟ୍ ବିଭାଜନ :- ନିର୍ବାଚନ ଗଣିତରେ ଆଗରେ ରହିବା ପାଇଁ ଦୁଇଟା ସମୀକରଣ ନିଶ୍ଚିତ ଜରୁରୀ । ଗୋଟିଏ ନିଜ ସପକ୍ଷରେ ଭୋଟ ଓ ଅନ୍ୟଟି ବିରୋଧୀ ଭୋଟରେ ବିଭାଜନ । ଅରୁଣ ସାହୁ ବିରୋଧୀ ଭୋଟ ସଂଖ୍ୟାରେ ବିଭାଜନ କରିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି। ବିଜେପିର ଟାଣୁଆ ଦମ୍ପତ୍ତି ଲାଲା ମନୋଜ ରାୟ ଓ ଗତଥରର ବିଜେପି ପ୍ରାର୍ଥୀ ଇରାନୀ ରାୟ ଶଙ୍ଖ ଧରି ସାରିଛନ୍ତି । ତେଣୁ ବିଜେଡି ଖାତାରେ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଭୋଟ ପଡ଼ିବା ଆଶାରେ ଅଛନ୍ତି ଅରୁଣ । ଯଦି ବିଜେପିର ଭୋଟରେ ବିଭାଜନ ହୁଏ ତେବେ ବିଜେଡି ପାଇଁ ଏ ବିଜୟ ସହଜ ହେବ । କିନ୍ତୁ କଂଗ୍ରେସ ଯଦି ଅଧିକ ଭୋଟ୍ ପାଏ ଓ ବିଜେପି ତାର ଭୋଟ୍ ରଖିବାରେ ସଫଳ ହୁଏ ତେବେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି। ହେଲେ ନିର୍ବାଚନୀ ମଇଦାନରେ ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି ।

ବିଜେଡିର ଗଡ଼ ନୟାଗଡ଼ :- ନୟାଗଡ଼ ବିରୋଧୀ ଦଳଙ୍କ ପାଇଁ ଗତ ୨ ଦଶନ୍ଧି ହେଲା ଅଭେଦ୍ୟ ହୋଇ ରହିଆସିଛି । ଅରୁଣ ସାହୁ ଏଠାରୁ ଜିତି ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ତୁଲାଇଛନ୍ତି । ଛାତ୍ର ରାଜନୀତିରୁ ଗୋଟି ଚାଳନାରେ ବେଶ ଚତୁର ଅରୁଣ ପୂର୍ବେ ଏଠାରେ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି ।

ନୟାଗଡ଼ର ନିର୍ବାଚନ ପରିସଂଖ୍ୟାନ :-

ନିର୍ବାଚନ ବିଜେଡି ଭୋଟହାର   ବିଜେପି ଭୋଟହାର   କଂଗ୍ରେସ ଭୋଟହାର   ସ୍ଵାଧୀନ ଭୋଟହାର

୨୦୧୯    ୫୨. ୪୧ %                ୪୨. ୮୭ %             ୨. ୭୨ %                      ୦. ୯୦ %

୨୦୧୪   ୫୨. ୭୮ %                ୫. ୨୫ %               ୩୮. ୨ %                             

୨୦୦୯   ୫୪. ୨୫%                 ୩. ୯୪%                ୩. ୨୧%                        ୩୨. ୧୫%

ଏବେ ନିର୍ବାଚନ ଯେତେ ପାଖେଇବ ଆହୁରି ଅନେକ ମିଶ୍ରଣ, ଦଳବଦଳ ଓ ସମୀକରଣ ଦେଖିବାକୁ ମିଳିବ । ଏହା ହିଁ ଏଥର ନିର୍ବାଚନର ଫଳାଫଳ ସ୍ଥିର କରିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ।