୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ତତ୍ବାବଧାନରେ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଓ ପିକଅପ ଗାଡି ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖୋର୍ଦ୍ଧା ସଦର ରେଞ୍ଜ ଅବକାରୀ ବିଭାଗ ନୀରିକ୍ଷକ ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ଥାନା ଅଧିନସ୍ଥ ନୂଆ ତିଗିରିଆ ଗ୍ରାମର ଜଗଦୀଶ ମହାନ୍ତି ପିକଅପ ଗାଡି ଯୋଗେ ୭୭୦ ଲିଟର ଦେଶୀ ମଦ ୨୨ ଟି ଜାରକିନରେ ଭର୍ତ୍ତି କରି ବେଗୁନିଆ ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ଆସୁଥିବାର ଖବର ପୁଲିସ ସୂଚନା ପାଇଥିଲା ।
ଏଥିରେ ବେଗୁନିଆ ଅବକାରୀଥାନା ଉପନୀରିକ୍ଷକ ଏନ ଜାଗିନ ରାଓ, ସଦରରେଞ୍ଜ ଉପନିରୀକ୍ଷକ ସୁଦର୍ଶନ ବିଷୋୟୀ, ସିପାହୀ ବିକାଶ ଚନ୍ଦ୍ର ରାଉତ ଓ ଚିନ୍ମୟୀ ସେଠୀ ପ୍ରମୁଖ ଏକ ଟିମରେ ବିଭକ୍ତ ହୋଇ ଚଢାଉ କରିବା ପାଇଁ ଯୋଜନା କରିଥିଲେ । ତେବେ ଅଭିଯୁକ୍ତକୁ ବେଗୁନିଆ ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରେ ପିକଅପ ଗାଡ଼ିକୁ ଅଟକାଇ ତନଖି କରି ବିପୁଳ ପରିମାଣରଦେଶୀ ମଦ ସହ ଗାଡ଼ିକୁ ଜବତ କରିଥିଲେ ।