ରାମପଦରରେ ରାସ୍ତା ଓ ପାଣି ସମସ୍ୟା ନେଇ – ବଢୁଛି ଜନ ଅସନ୍ତୋଷ

୨୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋହନା  :-> ନିର୍ବାଚନ ଆସୁଛି ଏବଂ ନିର୍ବାଚନ ସମାପନ ହେଉଛି ହେଲେ ନିର୍ବାଚିତ ହେଲା ପରେ ନେତାମାନେ ଭୋଟ ନେଇ ଆମକୁ ଠକି ଚାଲିଛନ୍ତି. ପ୍ରତି ଥର ଦେଉଥ‌ିବା ପ୍ରତିଶୃତି ପାଲଟିଛି ପାଣିର ଗାର । ଗାଁକୁ ନା ଅଛି ପକ୍କା ରାସ୍ତା, ନା ମିଳୁଛି ପିଇବା ପାଣି । ଯାହାକୁ ନେଇ ଏଥର ଉଚିତ୍ ଜବାବ ଦେବାକୁ ପଣ କରିଛନ୍ତି ଗ୍ରାମବାସୀ । ଗାଁ ରେ ଲଗାଯାଇଛି ବ୍ୟାନେର । ବ୍ୟାନେରରେ ଲେଖାଯାଇଛି ଭୋଟ ବର୍ଜନ କରିବୁ । କେବଳ କଥା ଏତିକିରେ ନୁହେଁ ବରଂ ନିର୍ବାଚନ ପାଇଁ ଭୋଟ ଭିକ୍ଷା ପାଇଁ ଯେ କୌଣସି ନେତା ଆସିଲେ ବାଡ଼ ପକାଇ ଗାଁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ସମୂହ ଗ୍ରାମବାସୀ । ଏଭଳି ଚରମ ପନ୍ଥା ଆପଣେଇଛନ୍ତି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତରେ ଥିବା ୱାର୍ଡ ନଂ ୧୯ ବାସୀ ରାମପଦର ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ରାସ୍ତା ଓ ପାନୀୟ ଜଳ ନାହିଁ ତ’ ଭୋଟ ନାହିଁ.

ଗାଁ ଲୋକେ ବାରମ୍ବାର ପକ୍କା ସଡ଼କ ଓ ପାନୀୟ ଜଳର ସୁବିଧା ପାଇଁ ପଞ୍ଚାଯତ ଠାରୁ ଆରମ୍ଭ କରି ୫ ଟି ସଚିବଙ୍କୁ ମଧ୍ୟ ଗୁହାରୀ କରିଛନ୍ତି । କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇ ପାରିନି । ଗ୍ରାମରେ କାହାର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଗଲେ ୫ କି.ମି ପଥୁରିଆ ରାସ୍ତାରେ ଖଟିଆ କରି ବୋହି ନେବାକୁ ପଡୁଛି । ପାନୀୟ ଜଳ ମଧ୍ଯ ଗାଁ ଠାରୁ ଏକ କି.ମି. ଦୂର ଏକ କୂଅରୁ ଆଣିବାକୁ ପଡୁଛି । ସେହି କୂଅ ମଧ୍ୟ ଶୁଖ୍ ଗଲାଣି । ଜଙ୍ଗଲ ମଧ୍ୟରେ ଥିବା ରାମପଦର ଗାଁରେ ବସବାସ କରୁଥିବା ୨୩ ଟି କୁଇ କନ୍ଧ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସବୁସ୍ତରରେ ନିରାଶ ହୋଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ କୌଣସି ନେତା କିମ୍ବା ଅଧୂକାରୀଙ୍କୁ ଗାଁରେ ପୁରାଇଦେବୁନି ବୋଲି ଚେତାବନୀ ଦେଇଛନ୍ତି ରାମପଦର ଗ୍ରାମର ସୁକାନ୍ତି ମଳିକ, ଡମ୍ବ ମଳିକ ଶିବ ମଳିକ ପ୍ରମୁଖଙ୍କ ସମସ୍ତ ଗ୍ରାମବାସୀ ।

ରାମପଦର ଗ୍ରାମକୁ ରାସ୍ତା ନିର୍ମାଣ ହେଲେ ପାର୍ଶ୍ବରେ ଥ‌ିବା ଅନ୍ୟ ଦୁଇଟି ଗ୍ରାମ କଣ୍ଟାଗୁଡା, ଗାଈମା ଗ୍ରାମବାସୀ ଉପକୃତ ହୋଇପାରନ୍ତେ । ଏ ନେଇ ଶିକୁଳିପଦର ସରପଞ୍ଚ ସତ୍ୟ ନାରଯଣ ଦଣ୍ଡସେନାଙ୍କୁ ପଚାରିବାରେ ଗ୍ରାମବାସୀଙ୍କ ସମସ୍ୟା ନେଇ ବହୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । କିନ୍ତୁ ସୁଫଳ ମିଳୁନଥିବା କହିଛନ୍ତି । ମୋହନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସଙ୍କୁ ପଚାରିବାରେ ସମସ୍ୟା ବିଷୟରେ ଅବଗତ ନାହାନ୍ତି । ତଥାପି ନିର୍ବାଚନ ଆଚରଣବିଧୂ ସମୟରେ ଯାହା ସମ୍ଭବତଃ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।